ସେଦିନ ଥିଲା ୧୯୯୯ ମସିହା ଜୁଲାଇ ୨୬ ତାରିଖ । ପ୍ରତ୍ୟକ ଭାରତୀୟଙ୍କ ଲୋମ ଟାଙ୍କୁରି ଉଠୁଥିଲା । ବାଜୁଥିଲା ବିଜୟର ଗାନ, ସେପଟେ ବୀର ଯବାନଙ୍କୁ ହରାଇ ଛାତି ଫାଟି ପଡୁଥିଲା । ପ୍ରାୟ ୨ ମାସ ଧରି କାରଗିଲର ଉଚ୍ଚ ଶୀଖର ପାହାଡ଼ରେ ଶତ୍ରୁ ରାଷ୍ଟ୍ର ସହ ଲଢ଼େଇ କରି ଏହି ଦିନରେ ବିଜୟ ହାସଲ କରିଥିଲେ ଭାରତୀୟ ସେନା । ଟାଇଗର ହିଲ୍ ଓ ତୋଲୋଲିଙ୍ଗ ହିଲ୍ରେ କବ୍ଜା ଜମାଇ ଥିବା ପାକିସ୍ତାନ ସେନାକୁ ମାତ ଦେଇ ବିଜୟ ପତାକା ଉଡ଼ାଇଥିଲେ ଭାରତୀୟ ସେନା । କାରଗିଲ୍ ଯୁଦ୍ଧକୁ ବିତିଗଲାଣି ୨୬ ବର୍ଷ । କିନ୍ତୁ ଆଜି ଯାଏଁ ଭାରତର କୋଟି କୋଟି ଜନତା ଏହି ଦିନକୁ ଭୁଲି ନାହାଁନ୍ତି । ଦେଶ ପାଇଁ ଜୀବନ ଦେଇଥିବା ସେହି ବୀର ଯବାନଙ୍କୁ ମଧ୍ୟ ଭୁଲି ନାହାଁନ୍ତି।
କାରଗିଲ ଯୁଦ୍ଧ ୧୯୯୯ ମେ’ ୩ ରୁ ଆରମ୍ଭ ହୋଇ ଜୁଲାଇ ୨୬ ତାରିଖରେ ଶେଷ ହୋଇଥିଲା । ଯୋଜନାବଦ୍ଧ ଭାବେ ପାକିସ୍ତାନ ୧୯୯୮ରୁ ହିଁ ଯୁଦ୍ଧର ଆରମ୍ଭ କରିଥିଲା । ୫ ହଜାର ସୈନ୍ୟଙ୍କୁ କାରଗିଲ ଦଖଲ ପାଇଁ ପଠାଇଥିଲା ପାକିସ୍ତାନ । ଭାରତୀୟ ସେନା ଏହା ଜାଣିବା ପରେ ଆରମ୍ଭ ହୋଇଥିଲା ଅପରେଶନ ବିଜୟ । ଯୁଦ୍ଧରେ ଭାରତର ୫୨୭ ଯବାନ ସହିଦ ହୋଇଥିଲେ । ସହିଦଙ୍କ ମଧ୍ୟରେ ଜମ୍ମୁ-କଶ୍ମୀରର ୭୧ ଜଣ ଥିଲେ । ଯୁଦ୍ଧରେ ଭାରତୀୟ ଯବାନଙ୍କ ବୀରତ୍ୱ ସମ୍ମୁଖରେ ପରାଜୟ ସ୍ଵୀକାର କରିଥିଲା ପାକିସ୍ତାନ । ଭାରତୀୟ ବାୟୁସେନାର ମିଗ୍-୨୭,
ମିଗ୍-୨୯ ଯୁଦ୍ଧ ବିମାନରୁ ଶତ୍ରୁ ଶିବିର ଉପରେ କରିଥିଲା ବୋମାମାଡ଼। କାରଗିଲ୍ ଯୁଦ୍ଧରେ ଲେଫ୍ଟନାଣ୍ଟ ମନୋଜ କୁମାର ପାଣ୍ଡେ, କ୍ୟାପଟେନ୍ ବିକ୍ରମ ବତ୍ରା, ରାଇଫଲମ୍ୟାନ୍ ସଞ୍ଜୟ କୁମାର, ଗ୍ରେନେଡ଼ିୟର ଯୋଗେନ୍ଦ୍ର ସିଂ ଯାଦବ ଆଦି ଅନେକ ଭାରତୀୟ ଯବାନ ସହିଦ ହୋଇଥିଲେ । ୧୯୯୯ କାରଗିଲ ଯୁଦ୍ଧକୁ ଭାରତୀୟ ସଶସ୍ତ୍ର ବାହିନୀ ଇତିହାସରେ ପରିବର୍ତ୍ତନର ସମୟ ବୋଲି ବିଚାର କରାଯାଏ। ସେତେବେଳେ ଏ ଯୁଦ୍ଧ ଟେଲିଭିଜନ୍ରେ ପ୍ରସାରିତ ହୋଇଥିଲା ।
ତେବେ ଆଜିର ଏହି ଦିନରେ ସେହି ସହିଦ ବୀର ଯବାନଙ୍କୁ ସାରା ଭାରତବର୍ଷ ମାନେ ପକାଉଛି । ଦେଶ ପ୍ରତି ତାଙ୍କ ଅଖଣ୍ଡ ବଳିଦାନକୁ କିଏ ବା ଭୁଲିପାରିବେ ? ଏହା ସବୁଦିନ ପାଇଁ ପ୍ରତ୍ୟକ ଭାରତୀୟ ନାଗରିକଙ୍କ ମନରେ ଚିରସ୍ମରଣୀୟ ହୋଇ ରହିବ ।