ସଂଚାର ବ୍ୟୁରୋ: ନୂଆପଡ଼ାର ନବନିର୍ବାଚିତ ବିଧାୟକ ଜୟ ଢୋଲକିଆ ଗୁରୁବାର ଶପଥ ଗ୍ରହଣ କରିବେ। ବାଚସ୍ପତି ସୁରମା ପାଢ଼ୀ ଅପରାହ୍ନ ପ୍ରାୟ ଗୋଟାଏ ବେଳେ ଜୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ଏହି କାର୍ଯ୍ୟକ୍ରମରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଓ ଅନ୍ୟ ବିଧାୟକ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି ।
ପ୍ରାୟ ୧୦ ବର୍ଷର ବ୍ୟବଧାନ ପରେ ପୁଣି ନୂଆପଡ଼ାରେ ଫୁଟିଲା ପଦ୍ମ । ନୂଆପଡ଼ା ବିଜେଡିର ଗଡ଼ ଭାବେ ପରିଚିତ ଥିବା ବେଳେ ମୋଦି ଲହର ଆଗରେ କାମ ଦେଲାନି ବିଜେଡି ରଣନୀତି । କାମ ଦେଲାନି ନବୀନଙ୍କ ଡବଲ ରାଲି । ଗଡ ବଞ୍ଚାଇବାରେ ଫେଲ୍ ମାରିଲେ ବିଜେଡି ସୁପ୍ରିମୋ । ଚିତପଟାଙ୍ଗ ମାରିଲା କଂଗ୍ରେସ । 83748 ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହେଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । କଂଗ୍ରେସ ପ୍ରାର୍ଥୀ ଦ୍ବିତୀୟ ସ୍ଥାନ ଓ ବିଜେଡି ପ୍ରାର୍ଥୀ ତୃତୀୟ ସ୍ଥାନରେ ରହିଛନ୍ତି ।
ବ୍ୟବସାୟୀରୁ ବିଧାୟକ ହୋଇଛନ୍ତି, ୩୨ ବର୍ଷୀୟ ଜୟ ଢୋଲକିଆ । ଜୟ ଢୋଲକିଆ ହେଉଛନ୍ତି ସ୍ଵର୍ଗତ ବିଜେଡି ନେତା ରାଜେନ୍ଦ୍ର ଢୋଲକିଆଙ୍କ ପୁତ୍ର । ବାପା ରାଜେନ୍ଦ୍ର ଢୋଲକିଆ ୪ ଥର ବିଧାୟକ ଥିବାବେଳେ ବିଜେଡି ସରକାରରେ ମନ୍ତ୍ରୀ ମଧ୍ୟ ଥିଲେ । କିନ୍ତୁ ରାଜନୀତିଠୁ ଦୂରେଇ ରହି ବ୍ୟବସାୟ କରୁଥିଲେ ଜୟ । ବାପା ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ରାଜନୀତିରେ ପାଦ ଥାପିଛନ୍ତି ଜୟ ଢୋଲକିଆ । ଗତ ଅକ୍ଟୋବର ୧୧ରେ ବିଜେପିରେ ସାମିଲ ହୋଇଥିଲେ । ଏହାପରେ ବିଜେପି ଟିକେଟ ପାଇ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ଜୟ ଢୋଲକିଆ ।
ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ନୂଆପଡ଼ାରେ ୨ ଲକ୍ଷ ୫୪ ହଜାର ୪୯୭ ଜଣ ଭୋଟର ଥିବା ବେଳେ ମତ ସାବ୍ୟସ୍ତ କରିଛନ୍ତି ୨ ଲକ୍ଷ ୧୨ ହଜାର ୩୮୫ ଜଣ । ଅର୍ଥାତ ମତଦାନ କ୍ଷେତ୍ରରେ ୮୩.୪୫ ଭୋଟିଂ ସହ ନୂଆପଡ଼ା ସୃଷ୍ଟି କରିଛି ନୂଆ ଇତିହାସ । ସେହିପରି ମତ ସାବ୍ୟସ୍ତ କରିବାରେ ପୁରୁଷଙ୍କଠୁ ବହୁ ଆଗରେ ରହିଛନ୍ତି ମହିଳା ।
ତଥ୍ୟ ଅନୁଯାୟୀ, ନୂଆପଡ଼ାରେ ୧ ଲକ୍ଷ ୩ ହଜାର ୮୧୭ ଜଣ ପୁରୁଷ ନିଜର ମତ ସାବ୍ୟସ୍ତ କରିଥିବା ବେଳେ ସେହି ତୁଳନାରେ ମହିଳା ସଂଖ୍ୟା ହେଉଛି ୧ ଲକ୍ଷ ୮ ହଜାର ୫୬୩ । ଅର୍ଥାତ ପୁରୁଷଙ୍କ ସଂଖ୍ୟା ତୁଳନାରେ ଅଧିକ ୪ ହଜାର ୭୪୬ ଜଣ ମହିଳା ଭୋଟ ଦେଇଛନ୍ତି ।
