ଭାରତ ବନାମ ଇଂଲଣ୍ଡ ଟି-୨୦ ସିରିଜ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି । ୫ ମ୍ୟାଚ୍ ବିଶିଷ୍ଟ ଏହି ସିରିଜର ପ୍ରଥମ ମ୍ୟାଚ୍ କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯିବ । ମ୍ୟାଚ୍ ସନ୍ଧ୍ୟା ୭ଟାରେ ଆରମ୍ଭ ହେବ । ଟସ୍ ୬.୩୦ରେ ଆରମ୍ଭ ହେବ । ମ୍ୟାଚ୍ ଷ୍ଟାର ସ୍ପୋର୍ଟସ ନେଟୱାର୍କ ଲାଇଭ ପ୍ରସାରିତ ହେବ ।
ଭାରତ- ଇଂଲଣ୍ଡ ଟି-୨୦ରେ ପରସ୍ପରକୁ ମୋଟ୍ ୨୪ ଥର ସାମ୍ନା କରିଛନ୍ତି । ଯେଉଁଥିରୁ ଭାରତ ୧୩ଟି ମ୍ୟାଚ୍ ଜିତିଥିବା ବେଳେ ଇଂଲଣ୍ଡ ୧୧ଟି ମ୍ୟାଚ୍ ଜିତିଛି । ରୋହିତ ଶର୍ମା, ବିରାଟ କୋହଲି, ରବୀନ୍ଦ୍ର ଜାଡେଜା ଟି-୨୦ରୁ ଅବସର ନେଇ ସାରିଥିବା ବେଳେ ଦଳ ଏବେ ଅଧିନାୟକ ସୂର୍ଯ୍ୟ କୁମାର ଯାଦବଙ୍କ ନେତୃତ୍ୱରେ ଖେଳୁଛି । ୨୦୨୪ ଟି-୨୦ ବିଶ୍ୱକପ ବିଜେତା ଭାରତ ନିକଟରେ ଦକ୍ଷିଣ ଆଫ୍ରିକାକୁ ତା’ମାଟିରେ ୩-୧ରେ ପରାସ୍ତ କରିଥିଲା ।
ଟି-୨୦ ବିଶ୍ୱକପ ସେମି ଫାଇନାଲ ପରେ ଦୁଇ ଦଳ କୌଣସି ଦ୍ୱିପାକ୍ଷିକ ଟି-୨୦ ସିରିଜରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଉଭୟ ଦଳରେ ଏକାଧିକ ଅଲରାଉଣ୍ଡର ରହିଥିବା ବେଳେ ମ୍ୟାଚ୍ ବେଶ୍ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି । ତେବେ ବୋଲିଂରେ ଯଶପ୍ରୀତ ବୁମରା ଓ କୁଲଦୀପ ଯାଦବଙ୍କ ଅନୁପସ୍ଥିତି ନିଶ୍ଚୟ ଭାରି ପଡ଼ିବ । ତେବେ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ଅନ୍ତର୍ଜାତୀୟକ୍ରିକେଟକୁ ଫେରିଛନ୍ତି । ୨୦୨୩ ଦିନିକିଆ ବିଶ୍ୱକପ୍ ଫାଇନାଲ ପରଠାରୁ ଶାମି ଭାରତ ପାଇଁ କ୍ରିକେଟ ଖେଳି ନାହାନ୍ତି ।
ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ ପାଇଁ ଭାରତୀୟ ଟିମ୍ :
ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ସଞ୍ଜୁ ସାମସନ, ଅଭିଷେକ ଶର୍ମା, ତିଲକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂ, ନୀତିଶ କୁମାର ରେଡ୍ଡୀ, ଅକ୍ଷର ପଟେଲ (ଉପ-ଅଧିନାୟକ), ହର୍ଷିତ ରାଣା, ଅର୍ଶଦୀପ ସିଂ, ମହମ୍ମଦ ଶାମି, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ୱାଶିଂଟନ ସୁନ୍ଦର, ଧ୍ରୁବ ଜୁରେଲ
ସୂଚନାଯୋଗ୍ୟ, ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ଏବଂ ଅଷ୍ଟ୍ରେଲିଆ ଟୁର ଟେଷ୍ଟ ସିରିଜ ହାରିବା ପରେ ବିସିସିଆଇ ଟିମ୍ ଇଣ୍ଡିଆ ପାଇଁ ୧୦ଟି ଗାଇଡଲାଇନ୍ସ ଜାରି କରିଛି । ନୂଆ ଗାଇଡଲାଇନ୍ସକୁ ପଶ୍ଚିମବଙ୍ଗ କ୍ରିକେଟ ସଂଘ ସହିତ ଅନ୍ୟ ସମସ୍ତ ରାଜ୍ୟର କ୍ରିକେଟ ବୋର୍ଡକୁ ନିଦ୍ଦେର୍ଶ ଦିଆଯାଇଛି ।