ଆଜି ହେଉଛି ଜାତୀୟ ହସ୍ତତନ୍ତ ଦିବସ। ପ୍ରତିବର୍ଷ ଅଗଷ୍ଟ ୭ ତାରିଖରେ ଏହି ଦିବସ ପାଳନ କରାଯାଇଥାଏ । ସମୟ ବଦଳିବା ସହ ବଦଳୁଛି ହାତବୁଣା ପୋଷାକର ଚାହିଦା । ଆଜିକାଲି ଯୁବପିଢୀଙ୍କ ଠାରୁ ଆରମ୍ଭ କରି ମଧ୍ୟ ବୟସ୍କ ଓ ବୟସ୍କଙ୍କ ଠାରେ ହସ୍ତତନ୍ତ ପୋଷାକ ପ୍ରତି ଚାହିଦା ଥିବା ପରୀଲକ୍ଷିତ ହେଉଛି । ଫ୍ୟାସନ୍ରେ ବି ହ୍ୟାଣ୍ଡଲୁମ୍କୁ ପ୍ରାଧାନ୍ୟ ଦିଆଯାଉଥିବା ଦେଖିବାକୁ ମିଳୁଛି । ତେବେ ଯଦି ଦେଖିବା ବୌଦ୍ଧ ଜିଲ୍ଲାରେ ବାନ୍ଧ ଶାଢ଼ୀର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ସୁକ୍ଷ୍ମ ସୂତାରେ ନିର୍ମିତ ଏହି ବାନ୍ଧ ଶାଢ଼ୀ ଦେଶ ବିଦେଶରେ ବେଶ ଲୋକପ୍ରିୟ । ବୌଦ୍ଧ ଜିଲ୍ଲାର ଅନେକ ଲୋକଙ୍କ କୌଳିକ ବୃତ୍ତି ହେଉଛି ଏହି ବାନ୍ଧ ଶାଢ଼ୀ । ନିଜ ହାତରେ ସୁକ୍ଷ୍ମ ସୂତା ମାଧ୍ୟମରେ ସୁନ୍ଦର ସୁନ୍ଦର ବାନ୍ଧ ଶାଢ଼ୀ ବୁଣି ନିଜର ହସ୍ତ କଳାର ପରିଚୟ ଦେଇଥାନ୍ତି ଏହି ବୁଣାକାର । ହେଲେ ଏହି ବୁଣାକାର ମାନଙ୍କୁ ଉପଯୁକ୍ତ ପାରିଶ୍ରମିକ ମିଳୁନ ଥିବା ଅଭିଯୋଗ କରିଛନ୍ତି । ଆଜି ହେଉଛି ଜାତୀୟ ହସ୍ତତନ୍ତ ଦିବସ । ଏହି ଅବସରରେ ଦେଖିବା ଆମର ଏହି ସ୍ୱତନ୍ତ୍ର ରିପୋର୍ଟ ।
ମଙ୍ଗାରେ ଚାଲିଛି ଶାଢ଼ୀ ବୁଣା । ବିଭିନ୍ନ ଡିଜାଇନର ଚାଲିଛି ଶାଢ଼ୀ ବୁଣା । ପିଲାଠୁ ବୁଢ଼ା ସମସ୍ତେ ଲାଗିପଡିଛନ୍ତି ଏହି ଶାଢ଼ୀ ବୁଣାରେ । ବୁଣାକାର ପରିବାର ସୁତା କିଣି ରଙ୍ଗକରି ମଙ୍ଗାରେ ଏହି ସୁକ୍ଷ୍ମ ସୁତା ମାଧ୍ୟମରେ ରଙ୍ଗ କରିଥାନ୍ତି । ବୌଦ୍ଧ ଜିଲ୍ଲାର ଅନେକ ଗାଁର ଲୋକେ କୌଳିକ ବୃତ୍ତି ଭାବେ ଏହି ବାନ୍ଧ ଶାଢ଼ୀ କୁ ବୁଣିଥାନ୍ତି l ଜିଲ୍ଲାର ବିଶେଷକରି ଗବଜୋର, ଜୁନାନି, ମନମୁଣ୍ଡା, ବାଉଁଶୁଣି, ମାର୍ଜାକୁଦ, ଚମ୍ପାପୁର,ବିଳାସପୁର ବୁଟୁପାଳି ଗାଁରେ ଅଧିକ ଲୋକ ଏହି ଶାଢ଼ୀ ବୁଣିଥାନ୍ତି । ଜିଲ୍ଲାର ଏହି ବାନ୍ଧ ଶାଢ଼ୀ ଦେଶ ବିଦେଶରେ ବେଶ ପ୍ରସିଦ୍ଧ । ଦିନକୁ ଦିନ ବାନ୍ଧ ସୁତାର ଦାମ ବଢୁଛି ବୁଣାକର ମାନଙ୍କୁ ଉପଯୁକ୍ତ ପାରିଶ୍ରମିକ ଓ ପ୍ରୋତ୍ସାହନ କମି କମି ଯାଉଛି । ଫଳରେ ଅନେକ ବୁଣାକାର ଏହି ବୃତ୍ତିରୁ ମୁହଁ ଫେରାଉଛନ୍ତି।