ସଂଚାର ବ୍ୟୁରୋ: ଆଜି ମାର୍ଗଶିର ମାସର ପ୍ରଥମ ଗୁରୁବାର । ମା’ ଲକ୍ଷ୍ମୀଙ୍କ ମାଣବସା ଓଷାର ପ୍ରଥମ ଗୁରୁବାର । ମାଣବସା ଗୁରୁବାର ଓଷା କୃଷି ସହିତ ଜଡିତ ଓଡ଼ିଶାର ଏକ ମହାନ ପର୍ବ। ଏହି ପର୍ବରେ ମହାଲକ୍ଷ୍ମୀଙ୍କୁ ପୂଜା କରାଯାଏ। ମାର୍ଗଶିର ମାସରେ ଓଡ଼ିଆ ନାରୀମାନେ ଏହି ଓଷା ପାଳନ କରିଥାନ୍ତି। ଏହି ପୂଜା ଅନ୍ୟ ଦେଶ ଓ ରାଜ୍ୟମାନଙ୍କରେ ପ୍ରଚଳନ ନାହିଁ। ମାଣବସା ଓଷାକୁ ଲକ୍ଷ୍ମୀପୂଜା ମଧ୍ୟ କୁହାଯାଏ।
ଏହି ଓଷାକୁ ଓଡ଼ିଶା ର ସମସ୍ତ ଜାତିର ଲୋକେ ପାଳନ କରିଥାନ୍ତି। ମାର୍ଗଶିର ମାସରେ ପୂଜା ଘରକୁ ଧାନ ମେଣ୍ଟି ବା “ଧାନବେଣୀ”ରେ ସଜାଯାଇଥାଏ। ଧାନକେଣ୍ଡାକୁ ଗୁନ୍ଥି ଏହି ବେଣୀ ତିଆରି କରାଯାଏ।
କ’ଣ ହୁଏ ଭୋଗ:
ପୂଜା କାଳରେ ଧୂପ, ଦୀପ ଓ ନୈବେଦ୍ୟ ଆଦି ଅର୍ପଣ କରାଯାଏ। ଲକ୍ଷ୍ମୀଙ୍କ ପାଖରେ ପିଠାପଣା ଓ ଫଳମୂଳ ଭୋଗ (କଦଳୀ, ଛେନା, ନଡ଼ିଆ, ଗୁଡ଼, ଗୋଲମରିଚ ଓ ଅନ୍ୟାନ୍ୟ ଫଳ) ଲଗାଯାଏ। ଏଥି ସହିତ ମଣ୍ଡା ପିଠା ତିଆରି କରାଯାଇ ଭୋଗ ଦିଆଯାଇଥାଏ।
ବିଭିନ୍ନ ପାଳିରେ ଭିନ୍ନ ଭିନ୍ନ ପିଠାପଣା ପ୍ରସ୍ତୁତ କରି ମା’ଙ୍କ ପାଖରେ ଲାଗି କରାଯାଇଥାଏ। ଲକ୍ଷ୍ମୀଙ୍କୁ ବାଳଭୋଗରେ ଛେନା, ଗୁଡ଼, ନଡ଼ିଆ, କଦଳୀକୁ ଚକଟି ଭୋଗ ଲଗାଯାଏ। ମଧ୍ୟାହ୍ନରେ ଶଙ୍କୁଡ଼ି ଧୂପରେ ଲାଗିହେବା ପାଇଁ ଖିରି ବା ତରଣ, ଚକୁଳିପିଠା, ତରକାରି ଇତ୍ୟାଦି ପ୍ରସ୍ତୁତ କରାଯାଇ ଶ୍ରଦ୍ଧାର ସହ ଭୋଗ ଲଗାଯାଏ। ଭୋଗ ଘରର ପ୍ରତ୍ୟେକ ସଦସ୍ୟ ଖାଇଥାନ୍ତି। ଏହାକୁ ପରିବାର ଛଡ଼ା ଅନ୍ୟ କାହାକୁ ନ ଦେବାର ନିୟମ ଅଛି।
ଗୋଧୂଳି ସମୟରେ ସନ୍ଧ୍ୟା ଧୂପରେ ଆଉଥରେ ବାଳଧୂପ ପରି ଭୋଗ ଲଗାଯାଇ ସଂଧ୍ୟା ପୂଜା କରାଯାଏ। ୨ୟ ଗୁରୁବାରରେ ଚିତଉପିଠା, ଦହିକାଲୁଆ, ୩ୟରେ ଖେଚୁଡ଼ି-ଡାଲମା ଏବଂ ୪ର୍ଥରେ ମଣ୍ଡା ପିଠା ଭୋଗ ଲାଗି ହୋଇଥାଏ।
ମାର୍ଗଶିର ମାସର ଶେଷ ଗୁରୁବାର ବ୍ରତ ସାରି ଉଜୁଆ ଯାଏ। ଭୋଗ ପରେ ସେହି ମାଣରେ ଥିବା ଧାନକୁ ଆଉ ଏକ ଜାଗାରେ ଅଜାଡ଼ି ରଖାଯାଏ। ପୂଜାର ଅନ୍ୟ ସମସ୍ତ ସଜକୁ ନେଇ ପୋଖରୀ ଆଦି ଜଳାଶୟରେ ବିସର୍ଜନ କରାଯାଏ। ପରେ ପୂଜାରେ ବ୍ୟବହୃତ ଧାନକୁ କୁଟି ସେହି ଚାଉଳରେ ଖିରି ବା ଜାଉ ରାନ୍ଧି କେବଳ ଘର ଲୋକଙ୍କ ମଧ୍ୟରେ ଖିଆଯାଏ।