ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳ ଆସନ୍ତାକାଲି (ଶନିବାର) ଆସିବ। ସକାଳ ୮ଟାରେ ଗଣତି ପ୍ରକ୍ରିୟା ଆରମ୍ଭ ହେବ। ନିର୍ବାଚନ କମିସନଙ୍କ ତଥ୍ୟ ଅନୁଯାୟୀ ବୁଧବାର ଦିଲ୍ଲୀରେ ୬୦.୫୪ ପ୍ରତିଶତ ମତଦାନ ରେକର୍ଡ କରାଯାଇଥିଲା। ଦିଲ୍ଲୀ ନିର୍ବାଚନ ଫଳ ଉପରେ ସାରା ଦେଶର ନଜର ରହିଛି। ଅଧିକାଂଶ ଏକଜିଟ୍ ପୋଲ୍ (ବୁଥ୍ ବାହୁଡ଼ା ମତ)ରେ ବିଜେପି ବିଜୟୀ ହେବ ବୋଲି ଆକଳନ କରାଯାଇଛି। ୨୭ ବର୍ଷ ପରେ ବିଜେପି ଦିଲ୍ଲୀରେ ସରକାର ଗଠନ କରିବ ବୋଲି ଆଶାବାଦୀ ଥିବା ବେଳେ ‘ଆପ୍’ ମଧ୍ୟ ଲଗାତାର ତୃତୀୟ ଥର ସରକାର ଗଠନ କରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛି।
ଆପ୍’ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, ଏକଜିଟ୍ ପୋଲ୍ ଭୁଲ୍ ପ୍ରମାଣିତ ହେବ ଏବଂ ଆପ୍କୁ ହିଁ ସ୍ପଷ୍ଟ ବହୁମତ ମିଳିବ। ଅନ୍ୟପକ୍ଷରେ ଦିଲ୍ଲୀ ବିଜେପି ସଭାପତି ବୀରେନ୍ଦ୍ର ସଚଦେବ ଦାବି କରିଛନ୍ତି ଯେ ତାଙ୍କ ଦଳ ପାଖାପାଖି ୫୦ ଆସନରେ ଜିତିବ। ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀ ଆଲିସ ଭାଜ କହିଛନ୍ତି, ପ୍ରାୟ ୫ ହଜାର କର୍ମଚାରୀ ଗଣତି ପ୍ରକ୍ରିୟାରେ ନିୟୋଜିତ ହେବେ।