ଦେଶକୁ ଚିନ୍ତାରେ ପକାଇଛି ମଧ୍ୟପ୍ରାଚ୍ୟ ଯୁଦ୍ଧ । ଯାହାକୁ ମୁକାବିଲା କରିବା ପାଇଁ ରାଜ୍ୟଗୁଡିକୁ ସତର୍କ କରିଆସୁଛି କେନ୍ଦ୍ର। ଏହାରି ଭିତରେ ପ୍ରଧାନମନ୍ତ୍ରୀ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ସେଥିରେ ମଧ୍ୟ ଭାଗ ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ପ୍ରସ୍ତୁତି ସମ୍ବନ୍ଧରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିଥିଲେ । ତାସହ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯାଇ ମଧ୍ୟ ରାଜ୍ୟକୁ ନେଇଥିବା ବିଭିନ୍ନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ସହ ଯୋଗାଯୋଗ କରି ଓଡ଼ିଶା ଫେରିଛନ୍ତି ।
ଦିଲ୍ଲୀରୁ ମୁଖ୍ୟମନ୍ତ୍ରୀ ଫେରିବା ପରେ ସୋମବାର ସନ୍ଧ୍ୟାରେ ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ରାଜ୍ୟର ପ୍ରସ୍ତୁତି ସମ୍ବନ୍ଧରେ ଏକ ବଡ ବୈଠକ ହେବାକୁ ଯାଉଛି। ଯେଉଁଥିରେ କି ବିଭିନ୍ନ ବିଭାଗର ମୁଖ୍ୟଙ୍କ ସହ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଉପସ୍ଥିତ ରହିବେ। ଜିଲ୍ଲା ଗୁଡ଼ିକର କଣ ସବୁ ସ୍ଥିତି ରହିଛି ସେ ବାବଦରେ ଅବଗତ କରିବେ । ଏହାସହ ରାଜ୍ୟରେ ମହଜୁଦ୍ ଥିବା ବିଭିନ୍ନ ସାମଗ୍ରୀ କେଉଁ ଭଳି ଭାବେ ଲୋକଙ୍କ ନିକଟକୁ ସୁରୁଖୁରୁରେ ପହଞ୍ଚି ପାରିବ। କଳାବଜାରୀ ସମସ୍ୟା ଉପୁଜିବ ନାହିଁ, ସେଦିଗରେ ବିସ୍ତୃତ ଭାବରେ ଆଲୋଚନା ହେବ। ବିଶେଷ କରି ତୈଳ ସାମଗ୍ରୀକୁ ନେଇ ଉପୁଜିଥିବା ସମସ୍ୟାକୁ କେମିତି ମୁକାବିଲା କରି ହେବ ସେଥିପାଇଁ ରୋଡ ମ୍ୟାପ ମଧ୍ୟ ପ୍ରସ୍ତୁତ କରାଯିବ।
ପୁର୍ବରୁ ମଧ୍ୟ ରାଜ୍ୟ ସରକାର ଏନେଇ ବଡ଼ ବୈଠକ କରିଥିଲେ। ରାଜ୍ୟରେ ଆବଶ୍ୟକତା ଅନୁଯାୟୀ ପେଟ୍ରୋଲିୟମ, ଗ୍ୟସ ଓ ଅନ୍ୟାନ୍ୟ ସାମଗ୍ରୀ ମହଜୁଦ ଅଛି । ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଯେପରି ଅତ୍ୟାବଶ୍ୟକ ଦ୍ରବ୍ୟ ଗୁଡ଼ିକର କଳାବଜାରୀ ନହୁଏ, ସେଥିପ୍ରତି ସଜାଗ ରହିବା ସହିତ ରାଜ୍ୟବ୍ୟାପୀ ଚଢ଼ାଉ କରି ଅସାଧୁ ବ୍ୟବସାୟୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।
ରବିଋତୁ ଚାଷ ପାଇଁ ଯଥେଷ୍ଟ ସାର ମହଜୁଦ ରଖିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଏ ସମସ୍ୟା ବିଷୟରେ ରାଜ୍ୟବାସୀ ଯେପରି ଆତଙ୍କିତ ନ ହୁଅନ୍ତି । ସେଥିପ୍ରତି ସରକାରୀସ୍ତରରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
ଯୁଦ୍ଧ ଯୋଗୁ ବିଶ୍ଵବ୍ୟାପୀ ପେଟ୍ରୋଲ, ଡିଜେଲକୁ ନେଇ ସଙ୍କଟଜନକ ସ୍ଥିତି ଦେଖାଦେଇଛି। ଯେଉଁ କ୍ଷେତ୍ରରେ ଯୁଦ୍ଧ ଚାଲିଛି, ତାହା ଆମ ଶକ୍ତି ଆବଶ୍ୟକତାର ପ୍ରମୁଖ କେନ୍ଦ୍ର। ତଥାପି ଭାରତ ସବୁ ପରିସ୍ଥିତିର ମୁକାବିଲା କରୁଛି। ଆମର ବୈଶ୍ୱିକ ସମ୍ପର୍କ, ବିଭିନ୍ନ ଦେଶରୁ ମିଳୁଥିବା ସହଯୋଗ ଏବଂ ନିଜସ୍ବ ସାମର୍ଥ୍ୟ ଯୋଗୁ ଆମେ ଭଲ ସ୍ଥିତିରେ ରହିଛେ ବୋଲି ମନ୍ କି ବାତ କାର୍ଯ୍ୟକ୍ରମରେ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସାମ୍ପ୍ରତିକ ଘଡ଼ିସନ୍ଧି ସମୟରେ ଦେଶବାସୀଙ୍କର ବି ବଡ଼ ଦାୟିତ୍ଵ ରହିଛି। ସେମାନେ ସଚେତନ ରହିବା ସହ ଗୁଜବରେ ଆଦୌ ବିଶ୍ବାସ କରିବା ଉଚିତ ନୁହେଁ। କେବଳ ସରକାରଙ୍କ ତରଫରୁ ଦିଆଯାଉଥିବା ସୂଚନା ଉପରେ ଭରସା କରାଯିବା ଆବଶ୍ୟକ ବୋଲି ମୋଦୀ କହିଥିଲେ
