ସଂଚାର ବ୍ୟୁରୋ: ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଚିତାଲାଗି ନୀତି । ଏଥିପାଇଁ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ । ଦ୍ୱିତୀୟ ଭୋଗମଣ୍ଡପ ପରେ ଅପରାହ୍ଣ ୨ଟା ୩୦ ରୁ ସନ୍ଧ୍ୟା ୬ଟା ୩୦ ଟା ଯାଏ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ଚିତାଲାଗି ଅମାବାସ୍ୟା ଓଡ଼ିଶାର ଏକ ଗଣପର୍ବ। ଏହାଏହା ଶ୍ରାବଣ ମାସର ଅମାବାସ୍ୟା ତିଥିରେ ପାଳିତ ହୋଇଥାଏ । ଏହି ଦିନ ଶ୍ରୀମନ୍ଦିରରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କୁ ଚିତାଲାଗି ହୋଇଥାଏ । ଜଗନ୍ନାଥଙ୍କ ନିତିଦିନିଆ ପୂଜା ଓ ଧୂପ ଶେଷ ହେବା ପରେ ଦଇତାପତିମାନେ ତିନିଠାକୁରଙ୍କ ଲଲାଟରେ ସୁବର୍ଣ୍ଣ ଚିତାଲାଗି କରନ୍ତି।
ସ୍ନାନପୂର୍ଣ୍ଣମୀରେ ଠାକୁରେ ଅଣସରକୁ ବିଜେ ସମୟରେ ଏହି ରତ୍ନଚିତା କଢ଼ାଯାଇଥିଲା । ଚିତାଲାଗିରେ ଅସଲ ରତ୍ନଚିତା ଲାଗି ହେବେ ଠାକୁରେ । ତିନିବାଡ଼ର ବାଡ଼ଗ୍ରାହୀ ଓ ଦଇତାପତି ଏହି ଅଳଙ୍କାର ଶ୍ରୀଅଙ୍ଗରେ ଲାଗି କରିବେ । ସୁଦ୍ଧସୁଆରମାନେ ରତ୍ନସିଂହାସନ ତଳେ ସ୍ୱର୍ଣ୍ଣ ଓଷ ପ୍ରସ୍ତୁତ କରିବେ । ବାଡ଼ଗ୍ରାହୀମାନେ ଶୁଦ୍ଧସୁଆର ଦେଇଥିବା ଓଷ ଚିତାରେ ଲାଗି କରାଇବେ । ପାଟରା ଦେଇଥିବା ପାଟଡୋର ଫିତାରେ ବାନ୍ଧି ଶ୍ରୀମସ୍ତକରେ ଚିତା ଲାଗି ହେବ ।