ଓଡ଼ିଆ ଖାଦ୍ୟ ସମ୍ଭାରରେ ମିଠା ଏକ ଅଭିନ୍ନ ଅଙ୍ଗ। ଓଡ଼ିଶାର ଭଳିକି ଭଳି ମିଠା ମଧ୍ୟରେ ଛେନାପୋଡ଼ର ସ୍ଥାନ ସ୍ବତନ୍ତ୍ର। ଛେନାରେ ଚିନି ମିଶାଇ ପୋଡ଼ ପିଠା ପ୍ରଣାଳୀରେ ଏହା ପ୍ରସ୍ତୁତ ହେଉଥିବାରୁ ଏହାକୁ ‘ଛେନାପୋଡ଼’ ବୋଲି କୁହାଗଲା। ନୟାଗଡ଼ ଜିଲ୍ଲାରୁ ବାହାରିଥିବା ଏହି ସୁଆଦିଆ ମିଠା ‘ଛେନାପୋଡ଼’ ଆଜି ସବୁ ଓଡ଼ିଆଙ୍କ ପ୍ରିୟ ପାଲଟିଛି। ପିଲାଠୁ ବୁଢ଼ା, ସଭିଁଙ୍କର ପ୍ରିୟ ମିଠା ହେଉଛି ଛେନାପୋଡ଼। ଛେନାପୋଡ଼ର ଆକ୍ଷରିକମାନେ ହେଉଛି ପୋଡ଼ା ଯାଇଥିବା ଛେନା ବା ପୋଡ଼ିକରି ତିଆରି କରାଯାଇଥିବା ଛେନାରେ ତିଆରି ଏକ ମିଠା। ଏହା ବାଦାମି ହେବାଯାଏଁ ଏହାକୁ ପୋଡ଼ାଯାଇ ତିଆରି କରାଯାଇଥାଏ। ଓଡ଼ିଆଙ୍କ ପ୍ରିୟ ମିଠାର ସ୍ବାଭିମାନକୁ ବଞ୍ଚାଇବାକୁ ପ୍ରତିବର୍ଷ ଏପ୍ରିଲ ୧୧ ତାରିଖକୁ ଛେନାପୋଡ଼ ଦିବସ ଭାବେ ପାଳନ କରାଯାଉଛ। ଏପ୍ରିଲ ୧୧ ତାରିଖ ଛେନାପୋଡ଼ର ସ୍ରଷ୍ଟା ସ୍ୱର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମଦିନ ।
ବିଶ୍ବ ଦରବାରରେ ଏହି ମିଠା ସ୍ବତନ୍ତ୍ର ପରିଚୟ ହାସଲ କରିଛି । ପ୍ରତ୍ୟେକ ଓଡ଼ିଆଙ୍କ ପ୍ରିୟ ମିଠା ଛେନାପୋଡ଼ କେବଳ ଓଡ଼ିଶାରେ ନୁହେଁ, ଦେଶ ବିଦେଶରେ ମଧ୍ୟ ଏହାର ଚାହିଦା ରହିଛି। ନୟାଗଡ଼ ମାଟିରୁ ଜନ୍ମ ନେଇଥିବା ମିଠା ଛେନାପୋଡ଼ ଆଜି ବିଶ୍ୱ ଦରବାରରେ ନିଜର ପରିଚୟ ସୃଷ୍ଟି କରିଛି। ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରେ ବିକ୍ରି ହେଉଥିବା ଛେନାପୋଡ଼ ପଛରେ ନୟାଗଡ଼ର ଏକ ସ୍ୱତନ୍ତ୍ର ଭୂମିକା ରହିଛି। ସ୍ୱାଧୀନତା ପୂର୍ବରୁ ନୟାଗଡ଼ ଛେନାପୋଡ଼ ଜନ୍ମ ନେଇଥିଲା। ଏହାର ସ୍ୱାଦ ପ୍ରତ୍ୟେକ ବ୍ୟକ୍ତିକୁ ଆଘ୍ରାଣ କରିଥିବାବେଳେ ନୟାଗଡ଼ିଆଙ୍କ ପାଇଁ ଏହା ଗର୍ବ ଓ ଗୌରବରେ ପରିଣତ ହୋଇଛି।
ନୟାଗଡ଼ ମାଟିର ସୁଯୋଗ୍ୟ ସନ୍ତାନ ସୁଦର୍ଶନ ସାହୁଙ୍କ ଦ୍ୱାରା ଏହା ପ୍ରଥମେ ପ୍ରସ୍ତୁତ ହୋଇଥିଲା। ନୟାଗଡ଼ ଜିଲ୍ଲା ଦଶପଲ୍ଲା ସାତପାଟଣା ଗ୍ରାମରେ ୧୯୩୧ ଏପ୍ରିଲ ୧୧ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଛେନାପୋଡ଼ର ଜନ୍ମଦାତା ସୁଦର୍ଶନ ସାହୁ। ସୁଦର୍ଶନଙ୍କ ଏକ ଛୋଟିଆ ଭୁଲରୁ ସୃଷ୍ଟି ହେଇଥିଲା ଏହି ସୁଆଦିଆ ମିଠା। ନୟାଗଡ଼ ଦଶପଲ୍ଲାରେ ସୁଦର୍ଶନ ଏକ ଜଳଖିଆ ଦୋକାନ କରି ପରିବାର ଚଳାଉଥିଲେ । ଏକଦା ତାଙ୍କ ଦୋକାନରେ କିଛି ଛେନା ବଳି ଥିଲା । ତାହା ସକାଳକୁ ଖରାପ ହୋଇଯିବ, କ’ଣ କରିବେ ଭାବି ସେଥିରେ କିଛି ଚିନି ଓ କିଛି ଚାଉଳ ଚୁନା ମିଶାଇ ନିଆଁ ରଡ଼ରେ ପୋଡ଼ିଦେଇଥିଲେ । ଏହାପରେ ତାହା ଏକ ପିଠା ଆକାରର ହୋଇଥିଲା । ପ୍ରଥମେ ତାହା ଛେନାପୋଡ଼ ପିଠା ହୋଇଥିଲା । ପରେ ପିଠାରୁ ମିଠା ପାଲଟିଥିଲା ଛେନାପୋଡ଼ । ସେଦିନ ସୁଦର୍ଶନଙ୍କ ଏହି ପ୍ରୟାସ, ଓଡ଼ିଶାର ମିଠା ପସରାରେ ଯୋଡ଼ି ଦେଇଥିଲା ଆଉ ଏକ ଅଦ୍ୱିତୀୟ ମିଠା । ଖୁବ୍ କମ୍ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ମିଠା ନାଁ କରିଥିଲା । ନୟାଗଡ଼ରୁ ବିଭିନ୍ନ ଜିଲ୍ଲାକୁ ଛେନାପୋଡ଼ ପଠାଯାଇଥିଲା । ପରେ ଅନ୍ୟ ଜିଲ୍ଲାରେ ମଧ୍ୟ ଏହା ପ୍ରସ୍ତୁତ ହୋଇ ବିକ୍ରି ହେଲା। ୨୦୨୨ ମସିହାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ହେଲପିଙ୍ଗହ୍ୟାଣ୍ଡ’ ପ୍ରଥମ ଥର ପାଇଁ ସୁଦର୍ଶନଙ୍କ ଜନ୍ମଦିନ ଏପ୍ରିଲ ୧୧କୁ ବିଶ୍ୱ ଛେନାପୋଡ଼ ଦିବସ ଭାବେ ପାଳନ ଆରମ୍ଭ କରିଥିଲା।