ସଂଚାର ବ୍ୟୁରୋ: ଆଜି ଆମେରିକା ରାଷ୍ଟ୍ରପତି ନିର୍ବାଚନ। ଡେମୋକ୍ରାଟ କମଳା ହାରିସ ଓ ରିପବ୍ଲିକାନ ପାର୍ଟିର ଡୋନାଲଡ ଟ୍ରମ୍ପଙ୍କ ମଧ୍ୟରେ କଡ଼ା ଟକ୍କର। ତେବେ ସୁଇଂ ରାଜ୍ୟଗୁଡ଼ିକରେ ଟ୍ରମ୍ପଙ୍କ ପଲ୍ଲା ଭାରି ଥିବା ଜଣାପଡ଼ିଛି। ଆମେରିକା ନିର୍ବାଚନରେ ଭାଗ ନେବେ ପ୍ରାୟ ୧୬ କୋଟି ଭୋଟର। ୫ ତାରିଖ ଭାରତୀୟ ସମୟ ଅପରାହ୍ଣ ସାଢେ ୪ଟାରୁ ଭୋଟ ପ୍ରକ୍ରିୟା ଆରମ୍ଭ ହୋଇ ସରିବ ନଭେମ୍ବର ୬ ଭୋର ସାଢେ ୬ଟାରେ। ଭୋଟ ପୂର୍ବରୁ ବି ଶେଷ ମୁହୂର୍ତ୍ତରେ ପ୍ରଚାର ଜାରି ରଖିଛନ୍ତି ଉଭୟ ପ୍ରାର୍ଥୀ। ପେନସିଲଭାନିଆରେ କମଳା ହାରିସ ପ୍ରଚାର କରୁଥିବାବେଳେ ତାଙ୍କୁ ସାଥ୍ ଦେଇଛନ୍ତି ଲେଡି ଗାଗା। ନର୍ଥ କାରୋଲିନି, ପେନସିଲଭାନିଆ ଓ ମିଚିଗାନରେ ବି ପ୍ରଚାର କରୁଛନ୍ତି ଟ୍ରମ୍ପ। ପେନସିଲଭାନିଆ, ମିଚିଗାନ, ଫ୍ଲୋରିଡ଼ା ପରି ରାଜ୍ୟରେ ଟ୍ରମ୍ପଙ୍କ ପ୍ରତି ଅଧିକ ଜନସମର୍ଥନ ଥିବା ଜଣାପଡ଼ିଛି। ଭୋଟ ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ଇଲେକ୍ଟୋରାଲ କଲେଜ ସଂଖ୍ୟା ୫୩୮ ହୋଇଥିବାବେଳେ ମ୍ୟାଜିକ ନମ୍ଵର ହେଉଛି ୨୭୦। ଆମେରିକାର ନିର୍ବାଚନ ଉପରେ ରହିଛି ସାରା ବିଶ୍ଵର ନଜର । କାରଣ ଯିଏ ଜିତିବ, ସେହି ଅନୁସାରେ ଆମେରିକାର ଶାସନ ଓ ନୀତି ପ୍ରସ୍ତୁତ ହେବ। ଏବଂ ତାର ପ୍ରଭାବ ସାରା ବିଶ୍ଵରେ ପଡ଼ିବ। ତେଣୁ ସମସ୍ତେ ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ଉତ୍କଣ୍ଠାର ସହିତ ଅନେଇ ରହିଛନ୍ତି।