ଆଜି ଦ୍ବିତୀୟ ଭାରତ-ଇଂଲଣ୍ଡ ଟ୍ବେଣ୍ଟି-୨୦ ମ୍ୟାଚ । ଆୟର୍ଲାଣ୍ଡଠୁ ୦-୨ରେ ଟ୍ବେଣ୍ଟି-୨୦ ଶୃଙ୍ଖଳା ହାରିବା ପରେ ଭାରତୀୟ କ୍ରିକେଟ୍ ଦଳ ସଂପ୍ରତି ଇଂଲଣ୍ଡ ଗସ୍ତରେ ଅଛି । ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଅଧାରୁ ବାତିଲ ହୋଇଯାଇଥିଲା । ଡର୍ ହାମ୍ ରେ ଖେଳାଯାଇଥିବା ଏହି ମ୍ୟାଚ୍ ରେ ଅଭିଷେକ ଶର୍ମା ଓ ଅଧିନାୟକ ଶ୍ରେୟସ ଆୟରଙ୍କ ଅର୍ଦ୍ଧଶତକ ବଳରେ ଭାରତ ୧୮୯/୭ କରିଥିଲା । ଆଜି ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍ ମାଞ୍ଚେଷ୍ଟରରେ ଖେଳାଯିବ । ଭାରତ ଏହି ମ୍ୟାଚ୍ ରେ ଚୂଡ଼ାନ୍ତ ଏକାଦଶକୁ ନେଇ ଏବେ ଦ୍ବନ୍ଦ୍ବରେ ରହିଛି । ୟୁକେ ଗସ୍ତର ୩ଟି ଯାକ ମ୍ୟାଚ୍ ରେ ସଞ୍ଜୁ ସାମ୍ ସନ୍ ବିଫଳ ହୋଇଛନ୍ତି ।
ଅନ୍ୟପଟେ ଆଇପିଏଲ୍ ରେ ଚମତ୍କାରିତା ଦେଖାଇଥିବା ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ ମିଳିନି । ତେଣୁ ସାମସନ୍ କି ସୂର୍ଯ୍ୟବଂଶୀକୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ଦେବ ଭାରତ ଚିନ୍ତାରେ ରହିଛି । ପ୍ରତିଭାଶାଳୀ ତିଲକ ବର୍ମା ମଧ୍ୟ ମଧ୍ୟଭାଗରେ ସେପରି କିଛି କରି ପାରୁନାହାନ୍ତି । ଚଳିତ ବର୍ଷ ୧୨ ଟ୍ବେଣ୍ଟି-୨୦ ଖେଳିଥିଲା ବେଳେ ମାତ୍ର ୧୨ ଛକା ମାରି ପାରିଛନ୍ତି । ତେବେ ଶିବମ ଦୁବେ ଗତ ମ୍ୟାଚ୍ ରେ ବିସ୍ଫୋରକ ପାଳି ଖେଳି ଫର୍ମ ଫେରିବାର ସଙ୍କେତ ଦେଇଛନ୍ତି ।
ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ ଟ୍ରାକ୍ ଗ୍ରିପ୍ ଓ ରିଷ୍ଟ୍ ସ୍ବିନରଙ୍କୁ ସୁହଇବ । ତେଣୁ ଭାରତୀୟ ସ୍ପିନ୍ ବୋଲିଂ ବାହିନୀରେ କିଛି ପରିବର୍ତ୍ତନ ହେବାର ସମ୍ଭାବନା ପ୍ରାୟ ନାହିଁ । ଅନ୍ୟପକ୍ଷରେ ଇଂଲଣ୍ଡର ବ୍ୟାଟିଂ ଲାଇନ୍ ଅତି ଚମତ୍କାର ରହିଛି । ଭାରତୀୟ ବୋଲିଂକୁ ସାମ୍ନା କରିବାକୁ ଅଧିନାୟକ ହ୍ୟାରି ବ୍ରକ୍ , ଫିଲ୍ ସଲ୍ଟ ଓ ଟମ୍ ବାଣ୍ଟନ ରହିଛନ୍ତି । ଗତ ମ୍ୟାଚ୍ ରେ ବିଶ୍ରାମ ନେଇଥିବା ଜୋଫ୍ରା ଅର୍ଚରଙ୍କୁ ଦ୍ବିତୀୟ ମ୍ୟାଚ୍ ରେ ଖେଳାଇବାକୁ ଦଳ ଚିନ୍ତା କରିଛି ।

