ରାଜ୍ୟବାସୀଙ୍କୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ଆଂଶିକ ଆଶ୍ଵସ୍ତି ଆଣିଦେଇଛି କାଳବୈଶାଖୀ। ପାଣିପାଗ ବିଭାଗ ସୂଚନା ଅନୁସାରେ, ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀର ପ୍ରଭାବ ଜାରି ରହିବ। ଆଜି ମଧ୍ୟ ଅନେକ ଜିଲ୍ଲା ପାଇଁ ସତର୍କତା ଜାରି ହୋଇଛି, ଯାହାରେ ଲୋକମାନଙ୍କୁ ସାବଧାନ ରହିବାକୁ ପରାମର୍ଶ ଦିଆଯାଇଛି।
ଆଜି ପାଇଁ ମୟୂରଭଞ୍ଜ, ବାଲେଶ୍ୱର, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଗଜପତି ଭଳି ୮ଟି ଜିଲ୍ଲାରେ ଝଡ଼ତୋଫାନ ସହ କୁଆପଥର ବର୍ଷାର ସମ୍ଭାବନା ରହିଛି। ଏହି ସମୟରେ ଘଣ୍ଟା ପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ, ଯାହା ଜନଜୀବନକୁ ବ୍ୟାପକ ପ୍ରଭାବିତ କରିପାରେ। ଏହା ସହ କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା ଓ ପୁରୀ ସହିତ ମୋଟ ୧୬ଟି ଜିଲ୍ଲାରେ ବଜ୍ରପାତ ଓ ୩୦-୫୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି। କାଳବୈଶାଖୀର ପ୍ରଭାବରେ ଆସନ୍ତା ଦୁଇ ଦିନ ମଧ୍ୟରେ ତାପମାତ୍ରା ୨ ରୁ ୩ ଡିଗ୍ରୀ କମିବାର ସମ୍ଭାବନା ରହିଛି। ତଥାପି, ଶନିବାର ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୩୫ ରୁ ୩୮ ଡିଗ୍ରୀ ମଧ୍ୟରେ ରହିବ।
ଅନ୍ୟପଟେ ରାଜ୍ୟରେ ଗତ ୨ ଦିନ ମଧ୍ୟରେ କାଳବୈଶାଖୀ ପ୍ରଭାବରେ ଅନେକ କ୍ଷୟକ୍ଷତି ମଧ୍ୟ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ପବନ ପ୍ରଭାବରେ ବିଭିନ୍ନ ସ୍ଥାନରୁ ସାମ୍ନାକୁ ଆସିଛି ଅଘଟଣର ଦୃଶ୍ୟ। ବିଭିନ୍ନ ସ୍ଥାନରେ ଉଡ଼ିଲା ଘରର ଛପର। ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଓ ଆଖପାଖ ଅଞ୍ଚଳରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଥିଲା। କଳାହାଣ୍ଡିଆ ମେଘ ସହ ଝଡ଼ ବର୍ଷାରେ ଅସ୍ତବ୍ୟସ୍ତ ହୋଇପଡିଥିଲା ଜନଜୀବନ।

