ବୈଶିଙ୍ଗା: ଅଙ୍ଗନବାଡିରୁ ଘରକୁ ଫେରୁଥିବାବେଳେ ୪ ଜଣ କୋମଳମତି ଶିଶୁଙ୍କୁ ଚକଲେଟର ପ୍ରଲୋଭନ ଦେଖେଇ ବାଇକରେ ଅପହରଣ କରିବାର ଯୋଜନା ବିଫଳ ହୋଇଛି। ଚୋରକୁ କାବୁ କରି ଗଛରେ ବାନ୍ଧି ନିସ୍ତୁକ ମାଡମାରିବା ପରେ ଗ୍ରାମବାସୀ ପୁଲିସରେ ଜିମା ଦେଇଛନ୍ତି। ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅନ୍ତର୍ଗତ ତିଳଦା ଗ୍ରାମରେ ଏଭଳି ଘଟଣା ଘଟିଛିl ଅଭିଯୁକ୍ତ ଯୁବକ ହେଲା ନଡ଼ପୁର ଉପକଣ୍ଠ ଦଲକି ଗ୍ରାମର ଉପେନ୍ଦ୍ର ପାତ୍ର, ଯିଏ କି ଉକ୍ତ ଅଞ୍ଚଳରେ ଚାଲିଥିବା ରାସ୍ତା ନିର୍ମାଣ କାମର ଜନୈକ ଠିକାଦାରଙ୍କ ନିକଟରେ କାର୍ଯ୍ୟରତ ଥିଲା l
ସୂଚନା ଅନୁଯାଇ ତିଳଦା ଗ୍ରାମର ରାମଚନ୍ଦ୍ର ବିନ୍ଧାଣୀଙ୍କ ଝିଅ ବୈଶାଖୀ (୫), ରଥିଆ ସିଂଙ୍କ ଝିଅ ଅନୁଶ୍ରୀ(୪), ରାମଚନ୍ଦ୍ର ସୋରେନଙ୍କ ଝିଅ ନମିତା (୫) ଓ ତିଳଦା ଗ୍ରାମର ନିଜ ମାମୁଁ କାନ୍ଦ୍ରୁ ଟୁଡୁ ଘରକୁ ଆସିଥିବା ବାରିପଦା ତୁଳସୀଚୌରା ଅଞ୍ଚଳର ଗୋରା ମାରାଣ୍ଡିଙ୍କ ପୁଅ ଠାଳୁ (୫) ସକାଳୁ ଅଙ୍ଗନବାଡି କେନ୍ଦ୍ରକୁ ଯାଇଥିଲେl ସେଠାରେ ପାଠ ପଢ଼ିସାରିବା ପରେ ଖାଇ ସାରି ରାସ୍ତାରେ ଖେଳିଖେଳି ନିଜନିଜ ଘରକୁ ଫେରୁଥିଲେ। ଏହି ସମୟରେ ବାଟରେ ତାଙ୍କୁ ଅଟକାଇଥିଲା ନଡ଼ପୁର ଉପକଣ୍ଠ ଦଲକି ଗ୍ରାମର ଉପେନ୍ଦ୍ର ପାତ୍ରl ସେ ସେହି ଗ୍ରାମ ନିକଟରେ ରହି ଗ୍ରାମ ମଧ୍ୟ ଦେଇ ଚାଲିଥିବା ପିଚୁ ରାସ୍ତା କାମର ଠିକାଦାରଙ୍କ ଅଧୀନରେ କାମ କରୁଥିଲାl ୪ଶିଶୁଙ୍କୁ ଅଟକାଇବା ପରେ ଉପେନ୍ଦ୍ର ତାଙ୍କୁ ଆଜି ନିଜର ଜନ୍ମଦିନ ଅଛି କହି ଚକଲେଟର ପ୍ରଲୋଭନ ଦେଖେଇଥିଲା ଓ ବାଇକ୍ (ଓଡି୧୧ୟୁ-୯୪୯୮) ବୈଶିଙ୍ଗା ପଟକୁ ବଢ଼ିଥିଲା।