ଟେଟ୍ରା ପ୍ୟାକ୍ ମଦ ବିକ୍ରି ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ପଦକ୍ଷେପ । କେନ୍ଦ୍ର ଓ ସବୁ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍ । ଛୋଟ ପିଲାଙ୍କ ଫ୍ରୁଟ୍ ଜୁସ୍ ପ୍ୟାକେଟ୍ ଭଳି ଦେଖାଯାଉଥିବା ଟେଟ୍ରା ପ୍ୟାକ୍, ପାଉଚ୍ କିମ୍ବା ପ୍ଲାଷ୍ଟିକ୍ ବୋତଲରେ ମଦ ବିକ୍ରିକୁ ନେଇ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି । ଏଭଳି ଭ୍ରମାତ୍ମକ ପ୍ୟାକେଜିଂ ବିରୋଧରେ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାକୁ ଗ୍ରହଣ କରି ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କେନ୍ଦ୍ର ସରକାର ଏବଂ ସମସ୍ତ ରାଜ୍ୟର ଅବକାରୀ ବିଭାଗକୁ ନୋଟିସ୍ ଜାରି କରି ଜବାବ ମାଗିଛନ୍ତି ।
ମାମଲାର ଶୁଣାଣି ସମୟରେ ସିଜେଆଇ ସୂର୍ଯ୍ୟକାନ୍ତ ନିଜେ ଆଶ୍ଚର୍ଯ୍ୟ ପ୍ରକଟ କରି କହିଛନ୍ତି, ଏହା ସତରେ ଅତ୍ୟନ୍ତ ଭ୍ରମାତ୍ମକ । ମଦ୍ୟପାନ କରି ଗାଡ଼ି ଚଳାଇବା ଏବଂ ନାବାଳକଙ୍କ ନିଶା ଅଭ୍ୟାସ ବିରୋଧରେ କାମ କରୁଥିବା ସଂସ୍ଥା ‘କମ୍ୟୁନିଟି ଏଗନେଷ୍ଟ ଡ୍ରଙ୍କେନ୍ ଡ୍ରାଇଭିଂ’ ପକ୍ଷରୁ ଆଡଭୋକେଟ୍ ବିପିନ ନାୟାରଙ୍କ ଜରିଆରେ ଏହି ପିଟିସନ ଦାୟର କରାଯାଇଛି ।
ଏହି ଟେଟ୍ରା ପ୍ୟାକ୍ ଗୁଡ଼ିକୁ ସ୍କୁଲ୍ ବା କଲେଜ ପିଲାମାନେ ସହଜରେ ବ୍ୟାଗରେ ପୂରାଇ ନେଇପାରୁଛନ୍ତି । ବାପାମାଆ ବା ଶିକ୍ଷକ ଏହାକୁ ଜୁସ୍ ଭାବି ଭ୍ରମରେ ପଡ଼ୁଛନ୍ତି । ହାଲୁକା ଏବଂ ସହଜରେ ଲୁଚାଯାଇପାରୁଥିବାରୁ ପାର୍କ, ଗାଡ଼ି, ସିନେମା ହଲ୍ ଏବଂ ଶିକ୍ଷାନୁଷ୍ଠାନ ଆଖପାଖରେ ଏହାର ବ୍ୟବହାର ବଢୁଛି । ଏହି ପ୍ୟାକେଟ୍ ଗୁଡ଼ିକ ହାଲୁକା ଏବଂ ଭାଙ୍ଗିବାର ଭୟ ନଥିବାରୁ ରାଜ୍ୟ ସୀମା ପାର୍ କରାଇ ଚୋରା ଚାଲାଣ କରିବା ସହଜ ହେଉଛି । ତମାଖୁ ଜାତୀୟ ଦ୍ରବ୍ୟ ଭଳି ଏହି ମଦ ପ୍ୟାକେଟ୍ ଗୁଡ଼ିକରେ କୌଣସି ସ୍ପଷ୍ଟ ବା ବଡ଼ ସ୍ୱାସ୍ଥ୍ୟ ଚେତାବନୀ ରହୁନାହିଁ । କମ୍ ଉତ୍ପାଦନ ଖର୍ଚ୍ଚ ଯୋଗୁଁ ମଦ ଶସ୍ତା ହେଉଛି, ଯାହା ନାବାଳକ ଓ କମର୍ସିଆଲ୍ ଡ୍ରାଇଭରମାନଙ୍କୁ ଆକୃଷ୍ଟ କରୁଛି ।
CADD ପକ୍ଷରୁ ଦାୟର ଏହି PIL ରେ ସାରା ଦେଶ ପାଇଁ ଏକ ସମାନ ନୀତି ପ୍ରଣୟନ କରିବାକୁ ଦାବି କରାଯାଇଛି । ଟେଟ୍ରା ପ୍ୟାକ୍, ପାଉଚ୍ ବା ଏଭଳି ଭ୍ରମାତ୍ମକ ପ୍ୟାକେଜିଂରେ ମଦ ବିକ୍ରିକୁ ସମ୍ପୂର୍ଣ୍ଣ ନିଷେଧ କରାଯାଉ । ଅବକାରୀ ଆଇନରେ ସଂଶୋଧନ କରାଯାଇ ମଦ ବିକ୍ରି କେବଳ କାଚ ବୋତଲ କିମ୍ବା ସ୍ପଷ୍ଟ ଭାବେ ବାରି ହେଉଥିବା ନିର୍ଦ୍ଦିଷ୍ଟ ପାତ୍ରରେ ହିଁ ସୀମିତ ରଖାଯାଉ । ପୂର୍ବରୁ ମଧ୍ୟ କୋର୍ଟ ଜେରାର ସମ୍ମୁଖୀନ ହୋଇଥିଲେ ସରକାର । କେନ୍ଦ୍ର ଏବଂ ସମସ୍ତ ରାଜ୍ୟ ସରକାରଙ୍କ ଜବାବ ଆସିବା ପରେ କୋର୍ଟ ଏହି ଦିଗରେ କୌଣସି ବଡ଼ ନିର୍ଦ୍ଦେଶ ଦେଇପାରନ୍ତି ବୋଲି ଆଶା କରାଯାଉଛି ।

