ସଂଚାର ବ୍ୟୁରୋ: ସୁୁପ୍ରିମକୋର୍ଟକୁ ଗଲେ ରଣବୀର ଆହ୍ଲାବାଦିଆ। ତାଙ୍କ ବିରୋଧରେ ଦିଆଯାଇଥିବା ସବୁ ଏତଲାକୁ ଏକାଠି କରି ଶୁଣାଣି କରିବାକୁ ସେ ଆବେଦନ କରିଛନ୍ତି। ଏହା ସହିତ ସେ ଆଗୁଆ ଜାମିନ ମଧ୍ୟ ମାଗିଛନ୍ତି। ତାଙ୍କୁ ଗିରଫ କରାଯିବାର ଆଶଙ୍କା କରି ଆଗୁଆ ଜାମିନ ମାଗିଛନ୍ତି ରଣବୀର। ଆସାମର ଗୁଆହାଟୀରେ ତାଙ୍କ ବିରୋଧରେ ଏତଲା ହୋଇଛି। ହାଜର ହେବା ପାଇଁ ଗୁଆହାଟୀ ପୋଲିସ ସମନ୍ ବି କରିଛି। ୟୁଟ୍ଯୁବ ରିଏଲିଟି ସୋ ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟର ବିବାଦୀୟ ମନ୍ତବ୍ୟ ପାଇଁ ରଣବୀରଙ୍କ ବିରୋଧରେ ଦେଶର ବିଭିନ୍ନ ସ୍ଥାନରେ ଏକାଧିକ ଏତଲା ଦିଆଯାଇଛି। ସମୟ ରୈନାଙ୍କ ଦ୍ଵାରା ହୋଷ୍ଟ କରାଯାଇଥିବା ଏହି ରିୟଲିଟି ସୋର ଭିଡିଓକୁ ଡିଲିଟ୍ କରାଯାଇଛି। ତୁରନ୍ତ ଶୁଣାଣି ପାଇଁ ରଣବୀରଙ୍କ ପକ୍ଷରୁ ଆବେଦନ କରାଯାଇଥିଲେ ମଧ୍ୟ କୋର୍ଟ ତାକୁ ଗ୍ରହଣ କରି ନାହାନ୍ତି। କୋର୍ଟର ରେଜେଷ୍ଟ୍ରିଙ୍କ ପାଖକୁ ଯିବାକୁ କୋର୍ଟ ପରାମର୍ଶ ଦେଇଥଲେ। ମାମଲାର କେବେ ଶୁଣାଣି ହେବ ତାହା ଜଣାପଡ଼ିନାହିଁ। ୟୁଟ୍ଯୁବ ରିୟଲିଟି ସୋ ରେ ରଣବୀର ବିବାଦୀୟ ମନ୍ତବ୍ଯ ଦେଇଥିଲେ। ଏହାକୁ ନେଇ ସାରା ଦେଶରେ କ୍ଷୋଭ ପ୍ରକାଶ ପାଇଛି। ତାଙ୍କ ମନ୍ତବ୍ଯକୁ ସବୁ ମହଲରେ ନିନ୍ଦା କରାଯାଇଛି।