ସଂଚାର ବ୍ୟୁରୋ: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ ଓ ପରିବାରଙ୍କୁ ଝଟକା। ଆଇଆରସିଟିସି ସ୍କାମରେ ଚାର୍ଜଫ୍ରେମ କଲେ ଦିଲ୍ଲୀ କୋର୍ଟ। ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ, ପତ୍ନୀ ରାବଡି ଦେବୀ ଓ ପୁଅ ତେଜସ୍ବୀ ଯାଦବଙ୍କ ବିରୋଧରେ ରୁଜୁ ହେଲା ମାମଲା। ଆଇଆରସିଟିସି ହୋଟେଲ ସ୍କାମରେ ମାମଲା ରୁଜୁ କରାଯାଇପାରିବ କି ନାହିଁ ସେ ନେଇ ନିଷ୍ପତ୍ତି ଘୋଷଣା ଲାଗି ଆଜି ତାରିଖ ହୋଇଥିଲା ଧାର୍ଯ୍ୟ। ମାମଲାର ଶୁଣାଣି ଲାଗି କୋର୍ଟରେ ହାଜର ହୋଇଥିଲେ ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ, ପତ୍ନୀ ରାବଡି ଦେବୀ ଓ ପୁତ୍ର ତେଜସ୍ବୀ ଯାଦବ। ଏହି ମାମଲାରେ ସିବିଆଇ ୧୪ ଜଣ ବ୍ୟକ୍ତିବିଶେଷଙ୍କୁ ଅଭିଯୁକ୍ତ ଦର୍ଶାଇଥିଲା। ୨୦୧୭ରେ ଏହି ମାମଲା ଆରମ୍ଭ ହୋଇଥିଲା। ଆଇଆରସିଟିସି ହୋଟେଲର ରକ୍ଷଣାବେକ୍ଷଣ ଚୁକ୍ତି ନେଇ ସଲାସୁତୁରା କରାଯିବା ସହ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ଲାଲୁ ପ୍ରସାଦ ପଦବୀରେ ଥାଇ ପଦର ଦୁରୂପଯୋଗ କରିଥିବା ଅଭିଯୋଗ ହୋଇଥିଲା। ଲାଲୁ ପ୍ରସାଦଙ୍କ ବିରୋଧରେ ସରକାରୀ ପଦରେ ଥାଇ ଠକେଇ ଲାଗି ଅପରାଧିକ ଷଡ଼ଯନ୍ତ୍ର ଆଧାରରେ ମାମଲା ରୁଜୁ ହେବ। ସେହିପରି ରାବଡି ଦେବୀ ଓ ତେଜସ୍ବୀଙ୍କ ବିରୋଧରେ ଠକେଇ ଓ ଷଡ଼ଯନ୍ତ୍ର ଆଧାରରେ ମାମଲା ରୁଜୁ ହେବ।

