ଆମେରିକାର ନୂଆ ଟାରିଫ ପ୍ଲାନରେ କ୍ଷତିଗ୍ରସ୍ତ ହୋଇପାରେ ଭାରତ। ଆଜି ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ନୂଆ ଟାରିଫ ପ୍ଲାନ ଘୋଷଣା କରିବାକୁ ଯାଉଥିବାବେଳେ ଏହି ଦିବସକୁ ଆମେରିକାର ମୁକ୍ତି ଦିବସ ଭାବେ ମାନ୍ୟତା ଦିଆଯାଇଛି। କେଉଁ ରାଷ୍ଟ୍ର ଲାଗି କେତେକ ପ୍ରତିଶତ ଟାରିଫ ଲାଗିବ ତାହା ଟ୍ରମ୍ପ ଘୋଷଣା କରିବେ। ଆମେରିକୀୟ ଚାଉଳ ଉପରେ ଜାପାନର ୭୦୦ ପ୍ରତିଶତ ଟାରିଫ, ଆମେରିକୀୟ ଦୁଗ୍ଧଜାତ ସାମଗ୍ରୀ ଉପରେ ୟୁରୋପୀୟ ୟୁନିଅନର ୫୦ ପ୍ରତିଶତ ଟାରିଫ, ଆମେରିକୀୟ କୃଷିଭିତ୍ତିକ ସାମଗ୍ରୀ ଉପରେ ଭାରତର ୧୦୦ ପ୍ରତିଶତ ଟାରିଫ ଯୋଗୁ ଆମେରିକା ବିଶେଷ ଚିନ୍ତିତ ହୋଇଛି। ସେହିପରି ଆମେରିକୀୟ ଲହୁଣୀ ଓ ଘିଅ ଉପରେ କାନାଡାର ୩ ୦୦ ପ୍ରତିଶତ ଟାରିଫ ବି ଆମେରିକା ଲାଗି ଚିନ୍ତାର କାରଣ ହୋଇଛି। ଟ୍ରମ୍ପଙ୍କ ନୂଆ ଘୋଷଣା ଯୋଗୁ ବିଶ୍ବ ଅର୍ଥନୀତି ପ୍ରଭାବିତ ହେବା ଆଶଙ୍କା ରହିଛି। ଶିଳ୍ପଠାରୁ ସ୍ବାସ୍ଥ୍ୟ, ଶିକ୍ଷାଠାରୁ ନିବେଶ-ସବୁକିଛି ପ୍ରଭାବିତ ହେବା ସମ୍ଭାବନା ରହିଛି। ଟ୍ରମ୍ପଙ୍କ ନିଷ୍ପତ୍ତିକୁ ନେଇ ଭାରତ ସମେତ ବିଭିନ୍ନ ରାଷ୍ଟ୍ରର ଷ୍ଟକ ମାର୍କେଟ ନିମ୍ନମୁଖୀ ହୋଇଛି।