ସଂଚାର ବ୍ୟୁରୋ: ସୁନା ଥାଳି କହି ଦମ୍ପତିଙ୍କୁ ଦେଲେ ପିତଳ ଥାଳି , ଲୁଟିନେଲେ ୧୫ ଲକ୍ଷ ଟଙ୍କା । ତାଳଚେର ଲିଙ୍ଗରାଜ କଲୋନୀରେ ପରିବାର ସହ ରହୁଥିବା ଦୀପକ କୁମାର ବରାଳ ଏବଂ ତାଙ୍କ ସ୍ତ୍ରୀ ପ୍ରଣତୀ ପରିଡାଙ୍କୁ ସୁନା ଥାଳି କହି ଠକି ନେଲେ ୧୫ ଲକ୍ଷ ଟଙ୍କା । ଏନେଇ ଦୀପକ ଏବଂ ତାଙ୍କ ସ୍ତ୍ରୀ ପ୍ରଣତୀ କଲିୟରୀ ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।
ସୂଚନା ଅନୁଯାୟୀ ଦୀପକ ଏବଂ ତାଙ୍କ ସ୍ତ୍ରୀ ଙ୍କୁ ଦୁଇ ଜଣ ଅଜଣା ମହିଳା ପରିବାର ସଦସ୍ୟ ଅସୁସ୍ଥ ଥିବା ଦର୍ଶାଇ ୨୦ ଲକ୍ଷ ଟଙ୍କା ମାଗିଥିଲେ । ପ୍ରଥମେ ଦୀପକ ତାଙ୍କୁ ଟଙ୍କା ଦେଇ ନ ଥିଲେ । କିନ୍ତୁ ମହିଳା ଦୁଇଜଣ ଦୀପକଙ୍କୁ ଏକ ସୁନା ଥାଳି ର ପ୍ରଲୋଭନ ଦେଖାଇଥିଲେ । ଯେଉଁଥିରେ ଦୀପକ ପ୍ରଲୋଭିତ ହୋଇ ନଭେମ୍ବର ମାସ ୭ ତାରିଖ ସକାଳ ୮ ଟାରେ ହାଣ୍ଡିଧୁଆଁ ଗାନ୍ଧିଛକ ଠାରେ ପ୍ରଥମେ ୧୫ ଲକ୍ଷ ଟଙ୍କା ଦେଇଥିଲେ ।
ଆଉ ଦୁଇ ଦିନ ପରେ ବାକି ୫ ଲକ୍ଷ ଟଙ୍କା ଉଭୟେ ମହିଳା ଆସି ନେବେ ବୋଲି କହିଥିଲେ। କିନ୍ତୁ ଦୁଇ ଦିନ ପରେ ମହିଳା ଉଭୟେ ନ ଆସିବାରୁ ଏବଂ ତାଙ୍କ ସହ କୌଣସି ଯୋଗାଯୋଗ ନ ହୋଇ ପାରିବାରୁ ସନ୍ଦେହ କରି ଦୀପକ ନିକଟସ୍ଥ ଅଳଙ୍କାର ଦୋକାନରେ ପରୀକ୍ଷା କରିଥିଲେ ଏବଂ ଏହା ସୁନା ପାଣି ଦିଆ ପିତଳ ଥାଳି ବୋଲି ଜାଣିବାକୁ ପାଇଥିଲେ । ଯାହାକୁ ନେଇ ଦୀପକ କଲିୟରୀ ଥାନାର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲେ । ପୋଲିସ ଏନେଇ ଛାନଭିନ ଜାରି ରଖିଛି ।