ସଂଚାର ବ୍ୟୁରୋ: ପାରିବାରିକ ହିଂସା ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ପାରିବାରିକ ହିଂସାର ଶିକାର ମହିଳାଙ୍କୁ ସହାୟତା ଲାଗି ଆସନ୍ତା ୬ ସପ୍ତାହ ମଧ୍ୟରେ ସୁରକ୍ଷା ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ଏହା ସହ ପାରିବାରିକ ହିଂସା ଆଇନର କାର୍ଯ୍ୟକାରିତା ଲାଗି କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ସମସ୍ତ କ୍ଷେତ୍ରରେ ଆଇନର ସଫଳ କାର୍ଯ୍ୟକାରିତା ଦିଗରେ ଯତ୍ନବାନ ହେବା ଲାଗି ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ଦୁଇ ଦଶନ୍ଧିରୁ ଅଧିକ କାଳ ଧରି ଏହି ଆଇନ ରହିଥିଲେ ବି ଏହି ଆଇନର କାର୍ଯ୍ୟକାରିତା ସଫଳ ଭାବେ ପ୍ରତିଫଳିତ ହୋଇପାରିନାହିଁ ବୋଲି କହିଛନ୍ତି ଅଦାଲତ। ଗତ ମେ ୨୦ ତାରିଖରେ ଜଷ୍ଟିସ ବି. ଭି. ନାଗରତ୍ନା ଓ ଜଷ୍ଟିସ ସତୀଶ ଚନ୍ଦ୍ର ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ସୁରକ୍ଷା ଅଧିକାରୀଙ୍କୁ ନିଯୁକ୍ତି ଦେବା ଉପରେ ଗୁରୁତ୍ବ ଦେଇଥଇଲେ। ସୁପ୍ରିମକୋର୍ଟ ଯେଉଁ ୭ଟି ନିର୍ଦ୍ଦେଶ ଦେଇଛନ୍ତି ସେଗୁଡିକ ହେଲା- ସୁରକ୍ଷା ଅଧିକାରୀଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ନିଯୁକ୍ତି ଦେବା। ଆସନ୍ତା ୬ ସପ୍ତାହ ମଧ୍ୟରେ ସୁରକ୍ଷା ଅଧିକାରୀଙ୍କୁ ନିଯୁକ୍ତି ଦେବା। ପାରିବାରିକ ହିଂସା ପୀଡ଼ିତଙ୍କ ଲାଗି ରହିଥିବା ବ୍ୟବସ୍ଥା ନେଇ ସଚେତନତା କରିବା। ପାରିବାରିକ ହିଂସା ଆଇନର ଧାରା ୧୧ର ସଫଳ କାର୍ଯ୍ୟକାରିତା। ପାରିବାରିକ ହିଂସାପୀଡ଼ିତଙ୍କ ଲାଗି ମାଗଣା ଆଇନ ସୁବିଧା। ରାଜ୍ୟ ଓ ଜିଲ୍ଲାସ୍ତରରେ ସଦସ୍ୟ ସଚିବମାନଙ୍କ ଭୂମିକାର ଗୁରୁତ୍ବ। ପୀଡ଼ିତାଙ୍କ ଲାଗି ଆଶ୍ରୟସ୍ଥଳୀ ବ୍ୟବସ୍ଥାକୁ ସୁଗମ କରିବା ।