ସଂଚାର ବ୍ୟୁରୋ: ବୁଲଡୋଜର୍ ଆକ୍ସନ ଉପରେ ସୁପ୍ରିମକୋର୍ଟଙ୍କ ପ୍ରଚଣ୍ଡ ପ୍ରହାର । ଜଣେ ବ୍ୟକ୍ତି କୌଣସି ଅପରାଧରେ ସଂପୃକ୍ତ ହେଲେ, କାହିଁକି ତାର ଘର ଭଙ୍ଗା ଯିବ ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ। ଏକ ମାମଲାର ଶୁଣାଣି ବେଳେ ଏପରି କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି ଉଚ୍ଚତମ ନ୍ୟାୟାଳୟ। ଦିଲ୍ଲୀ ଜାହାଙ୍ଗିରପୁର ଅଞ୍ଚଳର ଏକ ଘଟଣାର ଶୁଣାଣି ବେଳେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଦେଇଛନ୍ତି ଏହି ମନ୍ତବ୍ୟ। କିଛି ଦିନ ତଳେ ଦିଲ୍ଲୀ ଜାହାଙ୍ଗିପୁରପୁର ଅଞ୍ଚଳରେ ଅନେକ ଘର ଭଙ୍ଗା ଯାଇଥିଲା। ଏପରିକି ଭଡ଼ା ଦିଆଯାଇଥିବା କିଛି ଘରକୁ ଭଙ୍ଗାଯାଇଥିଲା। ଘର ମାଲିକ କିମ୍ବା ଭଡ଼ାରେ ଥିବା ବ୍ୟକ୍ତି କିଛି ଅପରାଧ କରିଥିବାରୁ ସେହି ଘର ସବୁ ଭାଙ୍ଗିଥିଲା ପ୍ରଶାସନ।
ଏହା ବିରୋଧରେ ସୁପ୍ରିମକୋର୍ଟରେ କରାଯାଇଥିଲା ଆବେଦନ। କୌଣସି ଅଭିଯୁକ୍ତର ଘର କାହିଁକି ଭଙ୍ଗାଯିବ ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ। ଆବେଦନକାରୀଙ୍କ ଓକିଲ ସୁପ୍ରିମକୋର୍ଟଙ୍କଠାରୁ ଆଶ୍ଵାସନା ମାଗିଛନ୍ତି, ଏହା ବନ୍ଦ ହେଉ। ସଲିସିଟର ଜେନେରାଲ ତୁଷାର ମେହତା କହିଛନ୍ତି, କିଏ ଅପରାଧ କଲେ, ତାର ଘର ଭଙ୍ଗା ଯାଏ ନାହିଁ। ବରଂ ବେଆଇନ ଭାବେ ନିର୍ମାଣ ହୋଇଥିଲେ, ଘର ଭଙ୍ଗାଯାଇଥାଏ। ଏହାର ଉତ୍ତରର ସୁପ୍ରିମକୋର୍ଟ କହିଛନ୍ତି, ତା ହେଲେ ଆମେ ଗାଇଡ ଲାଇନ ଜାରି କରିବୁ। କୋର୍ଟ କହିଥିଲେ, ପ୍ରଥମେ ନୋଟିସ୍ ଦିଅନ୍ତୁ, ଏହାର ଉତ୍ତର ରଖିବାକୁ ସମୟ ଦିଆଯାଉ। ଆଇନଗତ ବ୍ୟବସ୍ଥାରେ ସମାଧାନ ପାଇଁ ଚେଷ୍ଟା କରାଯାଉ।
ଯଦି ତାହା ହୋଇନପାରିବ, ତା ହେଲେ ଘର ଭଙ୍ଗାଯାଉ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତାକାଲି ହେବ। ସମାଧାନ ପାଇଁ ଉଭୟ ପକ୍ଷକୁ ପ୍ରସ୍ତାବ ମଗାଯାଇଛି। କିଛି ବର୍ଷ ହେଲା ଅଭିଯୁକ୍ତଙ୍କ ଘରକୁ ପ୍ରଶାସନ ଭାଙ୍ଗି ଦେବା ଏକ ଟ୍ରେଣ୍ଡ ପାଲଟିଛି। ଉତ୍ତରପ୍ରଦେଶରୁ ଏହା ଆରମ୍ଭ ହୋଇଥିଲା। ସେଥିପାଇଁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ବୁଲଡୋଜର୍ ବାବା ବୋଲି ତାଙ୍କ ପ୍ରଶଂସକ କହିଥାନ୍ତି। ଉତ୍ତର ପ୍ରଦେଶ ପରେ ଏହା ଅନ୍ୟ ରାଜ୍ୟକୁ ବ୍ୟାପିଥିଲା। ଏପରିକି କିଛି ଦିନ ତଳେ ଝାରସୁଗୁଡ଼ାର ଏକ ଗୁଳିକାଣ୍ଡରେ ସଂପୃକ୍ତ ଥିବା ଅଭିଯୋଗରେ ଜଣେ ଅଭିଯୁକ୍ତର ଘର, ଦୋକାନ ଆଦି ଭଙ୍ଗା ଯାଇଥିଲା। ଏବେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବା ପରେ ଏଥିରେ ରୋକ୍ ଲାଗିପାରେ।