ଚଳିତ ବର୍ଷ ଶେଷ ସୁଦ୍ଧା ଶେଷ ହେବ କଟକ-ସମ୍ବଲପୁର ରାସ୍ତା କାମ । ବର୍ତ୍ତମାନ ଏହି କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ହେଲେ ଚଳିତ ବର୍ଷ ଶେଷ ସୁଦ୍ଧା କିନ୍ତୁ ଏହା ଶେଷ ହୋଇଯିବ । ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ପାଞ୍ଚ ବର୍ଷରେ ରାଜ୍ୟରେ ଯେତିକି ଜାତୀୟ ରାଜପଥ ତିଆରି ହୋଇଥିଲା, ଆଗାମୀ ଗୋଟିଏ ବର୍ଷରେ ସେତିକି ରାସ୍ତା ନିର୍ମାଣ କରାଯିବ । ୨୦୩୬ ଏବଂ ୨୦୪୭କୁ ଆଖିରେ ରଖି ସବୁ ପ୍ରମୁଖ ଅଞ୍ଚଳ, ବାଣିଜ୍ୟ ଅଞ୍ଚଳ ଏବଂ ବନ୍ଦରକୁ ଯୋଗାଯୋଗ କରିବା ପାଇଁ ଯୋଜନା ହୋଇଛି, ଏଥିପାଇଁ ବ୍ଲୁ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି ।
ସେପଟେ ରାଜ୍ୟରେ ଥିବା ଜାତୀୟ ରାଜପଥର ପ୍ରକଳ୍ପର ଗତି ଏବଂ ଏହା କେବେ ଶେଷ ହେବ ସେ ନେଇ ସମୀକ୍ଷା ହୋଇଛି । ଚଳିତ ବର୍ଷ କେନ୍ଦ୍ର ସରକାର ୧୩ ହଜାର କୋଟି ଟଙ୍କାର ନୀତିଗତ ଅନୁମୋଦନ ଦେଇଛନ୍ତି । ସେଥିରେ କଣ୍ଡିସନ୍ ଅଛି ଦ୍ରୁତ ଗତିରେ କାମ ସାରିବା ପାଇଁ । ସେପ୍ଟେମ୍ବର ସୁଦ୍ଧା ୨ ହଜାର କୋଟି ଟଙ୍କାର ରାସ୍ତା କାମ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ତେବେ ପୂରା ବର୍ଷରେ ସମ୍ପୂର୍ଣ୍ଣ ଟଙ୍କା ଖର୍ଚ୍ଚ ହେବ ଏବଂ ଏହା ଏକ ରେକର୍ଡ ହେବ ବୋଲି କହିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।