ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଗଡ଼ ତୁମୁଲିଆରେ ଚାଞ୍ଚଲ୍ୟ । ଆଇ ଏବଂ ଖୁଡିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁତୁରା । ପାରିବାରିକ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ବରପଡ଼ାର ବିଧବା ବିଳାସିନୀ ସୁଇ ଏବଂ ତାଙ୍କ ମାଆ ରୁକ୍ମିଣୀ ଭଇସାଲ ବାଲଟିରେ ପାଣି ନେଇ ଆସୁଥିବା ବେଳେ ପୁତୁରା ରିଙ୍କୁ ସୁଇ ଟାଙ୍ଗିଆରେ ଉଭୟଙ୍କୁ ଆକ୍ରମଣ କରିଥିଲା । ଟାଙ୍ଗିଆ ଚୋଟରେ ବିଳାସିନୀ ସେଠାରେ ଟଳି ପଡ଼ିଥିଲେ । ରୁକ୍ମିଣୀ ଝିଅକୁ ବଞ୍ଚାଇବାକୁ ଯିବାରୁ ତାଙ୍କୁ ମଧ୍ୟ ଆକ୍ରମଣ କରି ରିଙ୍କୁ ସେଠାରୁ ଫେରାର ହୋଇଯାଇଥିଲା । ସ୍ଥାନୀୟ ଲୋକେ ଖବର ଦେବାପରେ ହେମଗିରି ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ବିଳାସିନୀ ସୁଇ ଏବଂ ଅଭିଯୁକ୍ତ ରିଙ୍କୁ ଙ୍କ ପରିବାର ମଧ୍ୟରେ ଦୀର୍ଘବର୍ଷ ହେଲା ଶତ୍ରୁତା ଲାଗି ରହିଥିଲା । ବିଳାସିନୀଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ଜଣେ ପୁଅକୁ ନେଇ ସେ ରହୁଥିଲେ । ମାଆ ରୁକ୍ମିଣୀ ଝିଅ ଏକା ଥିବା ଦେଖି ସେ ମଧ୍ୟ ଯାଇ ଝିଅ ଘରେ ରହୁଥିଲେ । ଆଜି ପୁଅ କୁଆଡେ ଯାଇଥିବା ବେଳେ ମାଆ-ଝିଅ ଘରେ ତାଲା ଦେଇ ନିକଟ ନଳକୂପକୁ ପାଣି ଆଣିବା ପାଇଁ ଯାଇଥିଲେ । ପାଣି ନେଇ ଫେରୁଥିବା ବେଳେ ସାମ୍ନା ପଟରୁ ଅଭିଯୁକ୍ତ ରିଙ୍କୁ ସେମାନଙ୍କୁ ଆକ୍ରମଣ କରିଥିଲା ।