ସଂଚାର ବ୍ୟୁରୋ: ଟ୍ରକ୍ ଧକ୍କାରେ ଦୁଇ ହକି ଖେଳାଳିଙ୍କ ମୃତ୍ଯୁ । ମୃତକ ହେଲେ ସଚିନ କିଣ୍ଡୋ ଓ ସୁମିଲାଲ ଟପ୍ପୋ । ଉଭୟଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅନ୍ତର୍ଗତ ନିମଡିହି ଗାଁରେ । ଛତିଶଗଡ଼ରେ ହକି ଖେଳି ଫେରିବାବେଳେ ଗତକାଲି ରାତିରେ ଦୁର୍ଘଟଣାରେ ସେମାନଙ୍କର ମୃତ୍ଯୁ ହୋଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଛତିଶଗଡ଼ ବଳୁଆବାହାଲ ଗାଁରେ ହେଉଥିବା ଖାସି ହକି ଟୁର୍ଣ୍ଣାମେଣ୍ଟକୁ ଉଭୟ ଖେଳିବାକୁ ଯାଇଥିଲେ । ଖେଳିସାରି ବାଇକ୍ ଯୋଗେ ଗାଁକୁ ଫେରୁଥିଲେ । ଓଡ଼ିଶା ସୀମାରୁ ପ୍ରାୟ ୧୦ କିମି ଦୂର ଛତିଶଗଡ଼ର କତେରବିରା ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ବାଲିଶଙ୍କରା ପଟୁ ଛତିଶଗଡ଼କୁ ଯାଉଥିବା ଏକ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିଲା । ଗାଁରେ ଶୋକାକୂଳ ପରିବେଶ ଖେଳିଯାଇଥିବାବେଳେ ଉଭୟଙ୍କ ବିୟୋଗ ହକି ଜଗତ ପାଇଁ ଅପୂରଣୀୟ କ୍ଷତି ଘଟିଛି ।