ତିନି ରଥରେ ବସି ବିଶ୍ୱବାସୀଙ୍କୁ ଦର୍ଶନ ଦେଉଛନ୍ତି ତିନି ଠାକୁର । ଶନିବାର ମାଉସୀ ମା ଘରେ ପୋଡ଼ ପିଠା ଖାଇ ଫେରିବା ପରେ ଆଜି ମହଣ ମହଣ ସୁନାରେ ସୁସଜ୍ଜିତ ହୋଇ ବଡ଼ଦାଣ୍ଡରେ ତିନି ରଥିରେ ତିନି ଠାକୁର ସୁନା ବେଶରେ ଦର୍ଶନ ଦେଉଛନ୍ତି । ମଥାରେ ସୁନାର କିରିଟ ସାଙ୍ଗକୁ କାନରେ ସୁନାର କୁଣ୍ଡଳ। କମରରେ ସୁନାର କମରପଟି, ପାଦରେ ଶ୍ରୀପୟର। ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ହସ୍ତରେ ସୁବର୍ଣ୍ଣର ହଳମୁଷଳ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହସ୍ତରେ ସୁବର୍ଣ୍ଣର ଚକ୍ର ଓ ରୁପାର ଶଙ୍ଖ। ମା’ ସୁଭଦ୍ରାଙ୍କ ସୁବର୍ଣ୍ଣର ତଡ଼ଗି(କର୍ଣ୍ଣାଳଙ୍କାର)। ସାଙ୍ଗକୁ ରତ୍ନଖଚିତ ଘାଗଡ଼ା ମାଳି, ବାହାଡ଼ା ମାଳି, ତାବିଜ ମାଳି, ହରିଡ଼ା କଦମ୍ୱ ମାଳି, ବାଘନଖୀ ମାଳି, ସେବତୀ ମାଳି, ତିଳକ, ଆଡ଼କାନି, ଚନ୍ଦ୍ର-ସୂର୍ୟ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା ଆଦି ଆଭୂଷଣ ପରିଧାନ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ।
ଭଗବାନଙ୍କର ଏହି ଦିବ୍ୟ ବେଶ ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସେବାୟତମାନେ ଆଜି ସଅଳ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଶ୍ରୀମନ୍ଦିରରେ ହୋଇଥିବା ଅସ୍ଥାୟୀ ବାହାର ରତ୍ନଭଣ୍ଡାର (ଯାହାକି ବର୍ତ୍ତମାନ ଚାଙ୍ଗଡା ଘରେ କାର୍ଯ୍ୟକ୍ଷମ) ସେଠାରୁ ଶ୍ରୀଜିଉଙ୍କ ସୁନାବେଶରେ ଲାଗି ହେଉଥିବା ସ୍ବର୍ଣ୍ଣ ଅଳଙ୍କାର ସହ ଦୁଇ ଭାଇ କାଳିଆ ଓ ବଳିଙ୍କ ଆୟୁଧ ଏବଂ ହାତଗୋଡ଼ ବୋହି ଆଣିଥିଲେ ସେବାୟତ । ଏହାପରେ ରଥାରୂଢ଼ ଶ୍ରୀଜିଉଙ୍କ ଶ୍ରୀଅଙ୍ଗକୁ ସ୍ବର୍ଣ୍ଣ ଅଳଙ୍କାରରେ ଲାଗି ହୋଇଥିଲା। ସିଂହଦ୍ବାର ସମ୍ମୁଖରେ ତିନି ରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ ଦର୍ଶନ କରି ଲକ୍ଷ ଲକ୍ଷ ଭକ୍ତମାନେ ନିଜକୁ ଧନ୍ୟ ମନେ କରୁଛନ୍ତି। ମହାପ୍ରଭୁଙ୍କର ଏହି ଦିବ୍ୟ ବେଶ ରାତି ୧୧ଟା ଯାଏଁ ରହିବ। ଏହା ପରେ ବେଶ ଓଳାଗି ହେବ।
ରାତି ୧୧ ସୁଦ୍ଧା ସରିବ ସୁନାବେଶ ଦର୍ଶନ
ଅନ୍ୟପକ୍ଷରେ, ଚଳିତବର୍ଷ ସୁନାବେଶରେ ୧୦ରୁ ୧୫ଲକ୍ଷ ଭକ୍ତଙ୍କ ସମାଗମ ହେବା ସମ୍ଭାବନା ରହିଛି। ଏହାକୁ ନଜରରେ ରଖି ସଅଳ ନୀତିକାନ୍ତି କରାଯାଇ ନିର୍ଘଣ୍ଟ ସମୟ ପୂର୍ବରୁ ଚତୁର୍ଦ୍ଧା ବିଗ୍ରହଙ୍କ ସୁନାବେଶ କରାଯାଇଛି। ଏହାଦ୍ୱାରା ଭକ୍ତମାନେ ଅଧିକ ସମୟ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ ସୁଯୋଗ ପାଇବେ। ସେହିପରି ସୁନାବେଶ ସମୟରେ ରଥାରୂଢ଼ ଠାକୁରଙ୍କ ସମ୍ମୁଖରେ କୌଣସି ସେବାୟତ ରହିବେ ନାହିଁ। ଫଳରେ ଶ୍ରଦ୍ଧାଳୁମାନେ ସୁନ୍ଦର ଭାବେ ସୁନାବେଶ ଦର୍ଶନ କରିପାରିବେ। ରଥ ଉପରକୁ ଅଣସେବାୟତ ଚଢ଼ିବେ ନାହିଁ। ସେହିପରି କୌଣସି ସେବାୟତ ମୋବାଇଲ ଫୋନ ନେଇପାରିବେ ନାହିଁ ବୋଲି କଡାକଡି ଭାବେ ସ୍ପଷ୍ଟ କରିଦିଆଯାଇଛି। ଅନ୍ୟପକ୍ଷରେ, ସୁନାବେଶ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ରଥଯାତ୍ରାରେ ଯେଉଁଭଳି ସୁରକ୍ଷା ଏବଂ ଟ୍ରାଫିକ କଟକଣା ଥିଲା ସେହିଭଳି କଟକଣା ମଧ୍ୟ ରହିବ ବୋଲି କହିଛନ୍ତି ଏସ୍ପି ପିନାକ ମିଶ୍ର।