ବଲାଙ୍ଗିର: ଆଜି ବଲାଙ୍ଗିରର ପ୍ରସିଦ୍ଧ ଶୁଲିଆ ଯାତ୍ରା। ରକ୍ତ ରଂଜିତ ହେଲା ଶୁଲିଆ ପୀଠ । ଶହ ଶହ ପଶୁପକ୍ଷୀଙ୍କ ରକ୍ତରେ ରକ୍ତ ରଞ୍ଜିତ ହୋଇଛି ପୀଠ । ଯାତ୍ରାକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏପିରିକି ବଳି ପଡ଼ୁଥିବା ସ୍ଥାନରେ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଲୋକଙ୍କ ସମାଙ୍ଗମ ହୋଇଛି। ପ୍ରତିବର୍ଷ ପୌଷ ମାସ ଶୁକ୍ଳପକ୍ଷ ପ୍ରଥମ ମଙ୍ଗଳବାର ଦିନ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ। ମାନସିକଧାରୀମାନେ ଶହ ଶହ ସଂଖ୍ୟାରେ ଶୁଲିଆ ପୀଠକୁ ଆସିଥାନ୍ତି । ଜିଲ୍ଲା ତଥା ଜିଲ୍ଲା ବାହାରର ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ
ଭୋରରୁ ମୁଖ୍ୟ ପୂଜକ ଓ ଦେହୁରି ମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଗାଁରୁ ଏକ ଶୋଭାଯାତ୍ରାରେ ଆସି ସୁଲିଆ ପୀଠରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । ବରୁଆମାନଙ୍କ ଭିତରେ ଦେବତାଙ୍କୁ ଆବାହନ କରାଯାଇଥିଲା। ବରୁଆମାନଙ୍କ ଦେହରେ ଦେବତା ଆସିବା ପରେ ପ୍ରଥମେ ଏକ ଧଳା ଗଞ୍ଜା କୁକୁଡ଼ା ଓ ପରେ ପାଟ ଭୁକାକୁ ବଳି ଦିଆଯାଇଥିଲା। ପରେ ଶ୍ରଦ୍ଧାଳୁମାନେ ଆଣିଥିବା ମାନସିକ କୁକୁଡ଼ା, ଛେଳି, ମେଣ୍ଢା, ମଇଁଷିକୁ ବଳି ଦିଆଯାଇଥିଲା।
ବଲାଙ୍ଗିର ଜିଲ୍ଲା ହେଉଛି ଏକ ଆଦିବାସୀ ବହୁଳ ଜିଲ୍ଲା। ଜଙ୍ଗଲ, ପାହାଡ ଘେରା ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ଓ କନ୍ଧମାନଙ୍କ ଚାଲିଚଲଣି, ପରମ୍ପରା ଭିନ୍ନ ରହିଛି। ବଲାଙ୍ଗିର ଜିଲ୍ଲା ଦେଓଗାଁ ଖଇରଗୁଡାରେ ରହୁଥିବା କନ୍ଧ ସଂପ୍ରଦାୟର ଇଷ୍ଟ ଦେବତା ଶୁଲିଆଙ୍କ ଯାତ୍ରା ପ୍ରତି ବର୍ଷ ପୌଷ ମାସ ଶୁକ୍ଳପକ୍ଷର ପ୍ରଥମ ମଙ୍ଗଳବାରରେ ହୋଇଥାଏ । ଖଇରଗୁଡାର ବଡଖଳା, ସାନଖଲା ଓ କୁମରିଆର ନୂଆଖଳାରେ ଏହା ପାଳନ କରାଯାଏ। ବିଶେଷ କରି ବଲାଙ୍ଗିର, ବରଗଡ, କଲାହାଣ୍ଡି, କନ୍ଧମାଳ, ନୂଆପଡା, ସୋନପୁର ଭଳି ଜିଲ୍ଲାରୁ ଆସି ଏହି ପୀଠରେ ମାନସିକଧାରୀମାନେ ଛେଲି, କୁକୁଡା, ମଇଁଷି ବଳି ଦେଇ ପୂଜା କରିଥାନ୍ତି।

