ସଂଚାର ବ୍ୟୁରୋ: ବିଜେପି ସରକାରଙ୍କ ଲୋକହିତକର ଯୋଜନା ସୁଭଦ୍ରା । ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ମହିଳାମାନେ ଲମ୍ବା ଲାଇନ ଲଗେଇଛନ୍ତି । ବହୁ ପ୍ରତୀକ୍ଷିତ ‘ସୁଭଦ୍ରା’ ଯୋଜନା ପାଇଁ ଆଜିଠାରୁ ଆରମ୍ଭ ହେଲା ଆବେଦନ। ସେଥିପାଇଁ ଅଙ୍ଗନବାଡି କେନ୍ଦ୍ରରେ ଲାଗିଛି ଲମ୍ୱା ଲାଇନ। ଅଙ୍ଗନବାଡି କେନ୍ଦ୍ର ବ୍ୟତୀତ ବ୍ଲକ୍ ଅଫିସ୍, ମୋ ସେବା କେନ୍ଦ୍ର ଓ ଜନସେବା କେନ୍ଦ୍ରରେ ଦେଖିବାକୁ ମିଳୁଛି ଅସମ୍ଭାଳ ଭିଡ଼। ଏମିତି କି ଗାଁରେ ଘର ଘର ବୁଲି ଫର୍ମ ବାଣ୍ଟୁଛନ୍ତି ଅଙ୍ଗନବାଡି ଦିଦି। ତା’ସହିତ ଫର୍ମ କେମିତି ପୂରଣ କରିବେ, ଆଉ କେଉଁ କେଉଁ ପ୍ରମାଣପତ୍ର ଦେଇ ଆବେଦନ କରିବେ ସେ ନେଇ ମଧ୍ୟ ସଚେତନ କରୁଛନ୍ତି।
ଆରମ୍ଭ ହେଲା ସୁଭଦ୍ରା ଯୋଜନା। ତାହା ହେଲେ କେମିତି ପୂରଣ କରିବେ ‘ସୁଭଦ୍ରା’ ଫର୍ମ? ଆଉ କ’ଣ କ’ଣ ପ୍ରମାଣପତ୍ର ଦେବେ? ପ୍ରଥମେ ଆଧାର କାର୍ଡରେ ଥିବା ନାମ ଲେଖି, ଆଧାର ନମ୍ବର ଲେଖିବାକୁ ପଡ଼ିବ। ପରେ ସ୍ୱାମୀ କିମ୍ବା ବାପାଙ୍କ ନାମ ଲେଖିପାରିବେ। ଜନ୍ମ ତାରିଖ ସ୍ଥାନରେ ଆଧାର କାର୍ଡରେ ଥିବା ତାରିଖ ଦେବାକୁ ହେବ। ଜୁଲାଇ ୧ ସୁଦ୍ଧା ଆବେଦନକାରୀଙ୍କୁ ଅତିକମ୍ରେ ୨୧ ବର୍ଷ ହେଉଥିବା ଦରକାର। ପରେ ଜାତି ସଂପର୍କରେ ଥିବା ବକ୍ସରେ ଟିକ୍ ମାରିବାକୁ ହେବ। ମୋବାଇଲ ନମ୍ବର ବକ୍ସରେ ଆଧାର କାର୍ଡ ଲିଙ୍କ ହୋଇଥିବା ନମ୍ବର ଦେବାକୁ ହେବ। ବିକଳ୍ପ ଭାବେ ଆପଣ ଅନ୍ୟ ନମ୍ବର ମଧ୍ୟ ଦେଇପାରିବେ। ତା’ପରେ ଠିକଣା ଲେଖି, ଆଧାର ଲିଙ୍କ ଥିବା ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦେବାକୁ ହେବ।