ପୁରୀ : ନୂଆବର୍ଷ ଉପଲକ୍ଷେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ନୀତିକାନ୍ତି । ଚତୁର୍ଦ୍ଧାମୂର୍ତ୍ତି ଜଲଦି ଶୋଇବେ ଆଉ ଜଲଦି ଉଠିବେ । ମଧ୍ୟରାତ୍ର ଦ୍ୱାର ଫିଟା ନୀତି ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ।
ନୂଆବର୍ଷ ପାଇଁ ସୁରକ୍ଷା ବଳୟରେ ରହିବ ପୁରୀ । ଶୃଙ୍ଖଳିତ ଦର୍ଶନ ପାଇଁ ସ୍ବତନ୍ତ୍ର ସୁରକ୍ଷା ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ବିଶେଷକରି ବୟସ୍କ ଭକ୍ତଙ୍କ ପାଇଁ ସ୍ବତନ୍ତ୍ର ସୁବିଧା ସହ ପାନୀୟ ଜଳ ଯୋଗାଣ ପାଇଁ ସାଧାରଣରେ ପର୍ଯ୍ୟାପ୍ତ ପାନୀୟ ଜଳ ଯୋଗାଇଦେବାକୁ ଦାବି କରାଯାଇଛି । ଅନ୍ୟପଟେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଧାଡି ଦର୍ଶନ ବ୍ୟବସ୍ଥାକୁ ଜାନୁଆରୀ ୨୦ ତାରିଖକୁ ଘୁଞ୍ଚାଯାଇଛି ।
ଇଂରାଜୀ ନୂଆବର୍ଷରେ ଶ୍ରୀଜିଉଙ୍କ ଆଶୀର୍ବାଦ ନେବାକୁ ଶ୍ରୀକ୍ଷେତ୍ରକୁ ଭକ୍ତଙ୍କୁ ସୁଅ ଛୁଟୁଛି । ଲକ୍ଷାଧିକ ଭକ୍ତଙ୍କର ଅସମ୍ଭାଳ ଭିଡକୁ ନିୟନ୍ତ୍ରଣ କରିବାକୁ ସ୍ବତନ୍ତ୍ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ଶ୍ରୀମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଡ ଛକ ପର୍ଯ୍ୟନ୍ତ ବ୍ୟାରିକେଡ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଆଇନ ମନ୍ତ୍ରୀ । ଜିଲ୍ଲା ପ୍ରଶାସନ ମଧ୍ୟ ଭକ୍ତଙ୍କ ସୁରୁକ୍ଷାକୁ ଗୁରୁତ୍ବ ଦେଇଛି ।
ନୂଆବର୍ଷରେ ସହଜରେ ହେବ ଶ୍ରୀଜିଉଙ୍କ ଦର୍ଶନ
– ମଙ୍ଗଳବାର ଓ ବୁଧବାର କେବଳ ସିଂହଦ୍ବାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ଭକ୍ତ
– ଶ୍ରୀଜିଉଙ୍କ ଦର୍ଶନ ପରେ ଅନ୍ୟ ୩ ଦ୍ବାର ଦେଇ ପ୍ରସ୍ଥାନ କରିବେ ଶ୍ରଦ୍ଧାଳୁ
– ଭିଡ଼ ନିୟନ୍ତ୍ରଣ ପାଇଁ ପୁରୀରେ ୬୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ
– ଜନଗହଳିପୂର୍ଣ୍ଣ ସ୍ଥାନରେ ରହିବେ ଆଣ୍ଟି ସ୍ନାଚିଂ ଟିମ୍
– ମାର୍କେଟ ଛକରୁ ଶ୍ରୀମନ୍ଦିର ଓ ବେଳାଭୂମି ପର୍ଯ୍ୟନ୍ତ ରହିପାରିବନି ୪ ଚକିଆ ଯାନ