ବିଶିଷ୍ଟ କବି ତଥା ପଦ୍ମଭୂଷଣ ରମାକାନ୍ତ ରଥଙ୍କ ବିୟୋଗରେ ସୋଆ ପ୍ରାଚୀନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ପ୍ରାଚୀନର ମୁଖ୍ୟ ଡ. ଗାୟତ୍ରୀବାଳା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବହୁ ସାହିତ୍ୟିକ ସ୍ବର୍ଗତ ରମାକାନ୍ତ ରଥଙ୍କ ବିଭିନ୍ନ କାବ୍ୟକୃତି ଉପରେ ଆଲୋକପାତ କରିଥିଲେ । ସଭାରେ ସାହିତ୍ୟିକ ଡ. ଫଣିନ୍ଦ୍ର ଭୂଷଣ ନନ୍ଦ, ଆଶୁତୋଷ ପରିଡ଼ା, ଅଶ୍ଵିନୀ କୁମାର ମିଶ୍ର, ଗୌରାଙ୍ଗ ଚରଣ ଦାସ, ସନ୍ତୋଷ କୁମାର ରଥ, ପ୍ରଦୀପ୍ତ କୁମାର ପଣ୍ଡା, ଅସିତ ମହାନ୍ତି, ଅପର୍ଣ୍ଣା ମହାନ୍ତିଙ୍କ ସହ ସୋଆ ପ୍ରାଚୀନର କର୍ମକର୍ତ୍ତା ଉପସ୍ଥିତ ଥିଲେ । ଗତ ରବିବାର ସକାଳେ ‘ଶ୍ରୀରାଧା’ର କବି ରମାକାନ୍ତ ରଥଙ୍କର ୯୧ ବର୍ଷ ବୟସରେ ପରଲୋକ ହୋଇଥିଲା । ଆଜି ପୁରୀ ସ୍ବର୍ଗଦ୍ବାରରେ ତାଙ୍କ ଶେଷକୃତ୍ୟ ସମାପନ ହୋଇଛି । ୧୯୮୫ ମସିହାରେ ରଚିତ ଶ୍ରୀରାଧା ପାଇଁ ସ୍ବର୍ଗତ ରମାକାନ୍ତ ରଥଙ୍କୁ ସରସ୍ବତୀ ସମ୍ମାନ ମିଳିଥିଲା । ଆଧୁନିକ ଓଡ଼ିଆ ସାହିତ୍ୟରେ ଶ୍ରୀରାଧା ସର୍ବାଧିକ ପଠିତ ଓ ଆଦୃତ କାବ୍ୟ ବୋଲି ଶ୍ରଦ୍ଧାଞ୍ଜଳି ସଭାରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ୧୯୩୪ ମସିହାରେ ଜନ୍ମିତ କବି ରମାକାନ୍ତ ରଥ ୧୯୫୭ ମସିହାରେ IAS ରେ ଯୋଗଦାନ କରି ୧୯୯୨ ମସିହାରେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବେ ଅବସର ଗ୍ରହଣ କରିଥିଲେ । ତାଙ୍କର କାବ୍ୟକୃତି ମଧ୍ୟରେ କେତେଦିନର, ଅନେକ କୋଠରୀ, ସନ୍ଦିଗ୍ଧ ମୃଗୟା, ସପ୍ତମ ଋତୁ, ସଚିତ୍ର ଅନ୍ଧାର, ଶ୍ରୀପଳାତକ, ଦୁଆର ସେପାଖରୁ, ନଯା ନଯା କହୁକହୁ, ସରଳ ହୃଦଗଣିତ, ସୀମାନ୍ତ ବାସ ଆଦି ବହୁ କାବ୍ୟ ଗ୍ରନ୍ଥ ପାଠକଙ୍କୁ ମନ୍ତ୍ରମୁଗ୍ଧ କରିଆସିଛି । ତାଙ୍କର ଏକମାତ୍ର ଗଳ୍ପ ସଂକଳନ ମେଘ ଓ ଅନ୍ୟାନ୍ୟ ଗଳ୍ପ ମଧ୍ୟ ବେଶ୍ ଆଦୃତ ବୋଲି ସଭାରେ କୁହାଯାଇଛି ।