ସଂଚାର ବ୍ୟୁରୋ: ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ ସୁକ ୟୋଲ ବହିଷ୍କୃତ। ମହାଭିଯୋଗ ପ୍ରସ୍ତାବ ଗୃହୀତ ପରେ ବହିଷ୍କୃତ ହୋଇଛନ୍ତି ୟୁନ। ଡିସେମ୍ବର ୩ ତାରିଖରେ ଦେଶରେ ମାର୍ଶଲ ଆଇନ କାର୍ଯ୍ୟକାରୀ କରି ରହିଥିଲେ ବିବାଦରେ। ସାମୟିକ ମାର୍ଶଲ ଆଇନକୁ ନେଇ ଦେଶରେ ସୃଷ୍ଟି ହୋଇଥିଲା ଅସ୍ଥିରତା। ଚାଲିଥିଲା ଦେଶବ୍ଯାପୀ ଆନ୍ଦୋଳନ। ମାର୍ଶଲ ଆଇନକୁ ନେଇ ସୃଷ୍ଟି ହୋଇଥିଲା ସାମ୍ବିଧାନିକ ସଙ୍କଟ। ପ୍ରଧାନମନ୍ତ୍ରୀ ହାନ ଡକ ସୁ ହୋଇଛନ୍ତି ଅନ୍ତରୀଣ ଶାସକ। ସଂସଦ ଭବନ ବାହାରେ ହଜାର ହଜାର ଲୋକଙ୍କ ନାରାବାଜି ମଧ୍ଯରେ ସଂସଦରେ ଆସିଥିଲା ମହାଭିଯୋଗ ପ୍ରସ୍ତାବ। ପ୍ରସ୍ତାବ ସପକ୍ଷରେ ମତ ଦେଇଥିଲେ ୨୦୪ ସାଂସଦ। ବହିଷ୍କୃତ ହେବା ପରେ ୟୁନଙ୍କ ଭବିଷ୍ଯତ ନିର୍ଦ୍ଧାରଣ କରିବ ସାମ୍ବିଧାନିକ କୋର୍ଟ। ଯଦି ମହାଭିଯୋଗକୁ କୋର୍ଟ ସମର୍ଥନ କରନ୍ତି ତେବେ ଦକ୍ଷିଣ କୋରିଆ ଇତିହାସରେ ୟୁନ ହେବେ ଦ୍ବିତୀୟ ରାଷ୍ଟ୍ରପତି। ବହିଷ୍କାର ସପକ୍ଷରେ ଯଦି କୋର୍ଟ ରାୟ ଦିଅନ୍ତି ତେବେ ରାୟର ୬୦ଦିନ ମଧ୍ଯରେ ନିର୍ବାଚନ ହେବ। ସଂସଦରେ ୟୁନଙ୍କ ପିପୁଲ୍ସ ପାୱାର ପାର୍ଟି ବି ତାଙ୍କୁ ସମର୍ଥନ କରି ନଥିଲା। ୟୁନଙ୍କୁ ବହିଷ୍କାର କରିବା ବ୍ଯତୀତ ଅନ୍ଯ କିଛି ବିକଳ୍ପ ନଥିଲା ବୋଲି କହିଛି ବିରୋଧୀ ଡେମୋକ୍ରାଟିକ ପାର୍ଟି। ୩ ତାରିଖ ମଧ୍ଯରାତ୍ରୀରେ ଦେଶବାସୀଙ୍କ ଉଦ୍ଦେଶ୍ଯରେ ବାର୍ତ୍ତା ଦେଇ ୟୁନ କହିଥିଲେ- ଦେଶବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ବିରୋଧୀମାନେ ସରକାରଙ୍କୁ ଅଚଳ କରିଦେବା ଲାଗି ଷଡ଼ଯନ୍ତ୍ର କରୁଛନ୍ତି । ଏହି କାରଣରୁ ସେ ଦେଶରେ ସାମରିକ ଆଇନ ଲାଗୁ କରିଛନ୍ତି । ଘୋଷଣା ବଳରେ ସେନାମୁଖ୍ଯ ପାର୍କ ଅନସୁଙ୍କ ଜରିଆରେ ରାଜନୈତିକ କାର୍ଯ୍ୟକଳାପ ବନ୍ଦ, ମିଥ୍ଯା ପ୍ରଚାର, ଧର୍ମଘଟ, ଜନସମାଗମକୁ ନିଷିଦ୍ଧ କରାଯାଇଥିଲା । ତେବେ ପ୍ରବଳ ବିରୋଧ ପରେ ଏହାକୁ ସେ ପ୍ରତ୍ଯାହାର କରିଥିଲେ।

