ସଂଚାର ବ୍ୟୁରୋ: ସାଉଦି ଆରବରେ ଭୟଙ୍କର ବସ୍ ଦୁର୍ଘଟଣା। ବସରେ ନିଆଁ ଲାଗି ୪୨ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଭାରତରୁ ଯାଇଥିବା ହଜ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ ଏକ ଡିଜେଲ୍ ଟ୍ୟାଙ୍କର ସହିତ ଧକ୍କା ହୋଇ ନିଆଁ ଲାଗିଯାଇଥିଲା। ବସଟି ମକ୍କାରୁ ମଦିନା ଅଭିମୁଖେ ଯାତ୍ରା କରୁଥିଲା। ସାଉଦିଆରବ ସମୟ ରାତି ପ୍ରାୟ 11ଟାରେ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବସରେ ଥିବା ଅଧିକାଂଶ ଯାତ୍ରୀ ତେଲେଙ୍ଗାନା ରାଜ୍ୟର ବୋଲି ଜଣାପଡ଼ିଛି। ଦୁର୍ଘଟଣା ସମୟରେ ଅନେକ ଯାତ୍ରୀ ଶୋଇପଡ଼ିଥିଲେ। ଫଳରେ ଧକ୍କା ପରେ ବସ୍ରେ ନିଆଁ ଲାଗିଯିବାରୁ ସେମାନଙ୍କୁ ଖସିଯିବାର କୌଣସି ସୁଯୋଗ ମିଳିନଥିଲା। ମୃତକଙ୍କ ମଧ୍ୟରେ ୧୧ ଜଣ ମହିଳା ଏବଂ ୧୦ ଜଣ ଶିଶୁ ଅଛନ୍ତି।ବସରେ ୪୨ ଜଣ ହଜ୍ ଯାତ୍ରୀ ଥିଲେ। ରିୟାଦରେ ଥିବା ଭାରତୀୟ ଦୂତାବାସର ଡେପୁଟି ଚିଫ୍ ଅଫ୍ ମିଶନ୍ ଡିସିଏମ୍ ଆବୁ ମାଥିନ୍ ଜର୍ଜଙ୍କ ସହ ଯୋଗାଯୋଗରେ ଅଛନ୍ତି ସାଂସଦ ଅସଦ୍ଦୁଦିନ ଓୱେସି। ମୃତଦେହଗୁଡ଼ିକୁ ଭାରତ ଫେରାଇ ଆଣିବା ଏବଂ ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ସରକାର ଏବଂ ବୈଦେଶିକ ଏସ୍ ଜୟଶଙ୍କରଙ୍କୁ ଅନୁରୋଧ କରିଛନ୍ତି ସାଂସଦ ଓୱେସି। ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ ମଧ୍ୟ ବସ୍ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଦୁର୍ଘଟଣାରେ ଭାରତୀୟ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଖବର ପରେ ରିୟାଦରେ ଥିବା ଭାରତୀୟ ଦୂତାବାସ ସହିତ ଯୋଗାଯୋଗରେ ଅଛନ୍ତି ତେଲଙ୍ଗାନା ସରକାର।….

