ସଂଚାର ବ୍ୟୁରୋ: ବର୍ଷାକୁ ବିଦାୟ ଦେଇ ଆସିଛି ଶରତ । ଚାଲିଛି ପାର୍ବଣ ଋତୁ । ଧରା ପୃଷ୍ଠକୁ ଅବତରଣ କରିବେ ମହିଷା ମର୍ଦ୍ଧିନି ମା ଦୁର୍ଗା । ମାଙ୍କ ଆଗମନକୁ ନେଇ ଉତ୍ସବ ମୁଖର ହୋଇ ଉଠିଛି ଗାଁଠୁ ସହର । ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଇଁ ସଜବାଜ ଆରମ୍ଭ ହୋଇ ଗଲାଣି । ତେବେ ଆଜିଠାରୁ ଚଳଚଞ୍ଚଳ ରାଜ୍ୟର ସମସ୍ତ ଶକ୍ତିପୀଠ। କଟକର ଅଧିଷ୍ଠାତ୍ରୀ ଦେବୀ ମାଆ କଟକ ଚଣ୍ଡୀଙ୍କର ଆଜିଠୁ ଆରମ୍ଭ ହେଉଛି ଶରତକାଳୀନ ଦୂର୍ଗାପୂଜାର ଷୋଡଶ ଦିନାତ୍ମକ ଷୋଡଶ ଉପଚାର ପୂଜା। ମୂଳାଷ୍ଟମୀ ଠାରୁ ମାଆଙ୍କ ଘଟସ୍ଥାପନ କରି ଷୋଡଶ ଉପଚାର ପୂଜା ଆରମ୍ଭ ହୋଇଥାଏ । ସମସ୍ତ ରିତିନୀତି ସହକାରେ ମାଆଙ୍କ ପୂଜା କରାଯିବ।
ଏଥିପାଇଁ ମନ୍ଦିର ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜି ଘଟସ୍ଥାପନ ହେବା ପରେ ମାଆଙ୍କ ବିଭିନ୍ନ ବେଶ ଅନୁଷ୍ଠିତ ହେବ। ଆଜି ଓ ଆସନ୍ତାକାଲି ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମାଆ କଟକ ଚଣ୍ଡୀ । ଏହା ସହ ମାଆ ଭୁବନେଶ୍ଵରୀ ବେଶ , ଉଗ୍ରତାରା ବେଶ , ସିଦ୍ଧେଶ୍ୱରୀ ବେଶ , ନାରାୟଣୀ ବେଶ , ମାତଙ୍ଗୀ ବେଶ ପରି ବିଭିନ୍ନ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେବେ । ମାଆଙ୍କ ଏହି ବେଶ ଦର୍ଶନ କରିବା ପାଇଁ ମନ୍ଦିରରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥାଏ ।

