ଆସନ୍ତା କାଲିଠାରୁ ରାଜ୍ୟରେ ଏସଆଇଆର । ଏହା ଜୁନ୍ ୨୮ ତାରିଖ ଯାଏଁ ଚାଲିବ । ଘର ଘର ବୁଲି ଭୋଟର ତାଲିକା ସଂଶୋଧନ କରିବେ ବିଏଲ୍ଓ ।
ଏଥିରେ ଅଣ ଭାରତୀୟଙ୍କୁ ସିଧାସଳଖ ତାଲିକାରୁ ବାଦ୍ ଦିଆଯାଉଛି । ଓଡ଼ିଶାରେ ଭୋଟର ତାଲିକା ସଂଶୋଧନ ନେଇ ପ୍ରେସମିଟ୍ରେ ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍. ଏସ୍. ଗୋପାଳନ ।
ରାଜ୍ୟରେ ଶନିବାର ଠାରୁ ଏସଆଇଆର ଆରମ୍ଭ ହେବାକୁ ଥିବାବେଳେ ଜୁନ୍ ୨୮ ତାରିଖ ଯାଏଁ ଚାଲିବ । ଏଥିପାଇଁ ୪୫ ହଜାର ୨୫୫ ବୁଥ୍ ଲେଭଲ ଅଧିକାରୀ ନିଯୁକ୍ତି ହୋଇଛନ୍ତି । ସମସ୍ତଙ୍କ ତାଲିମ ସରିଛି । ୩ କୋଟି ୩୩ ଲକ୍ଷ ୯୯ ହଜାର ୫୯୧ ଘର ବୁଲି ଗଣନା କରିବେ ବିଏଲଓ । ଏହାସହ ୩୧ ହଜାର ୨୬ ବୁଥ୍ ଲେଭଲ ଏଜେଣ୍ଟ ମଧ୍ୟ ଦେଇଛନ୍ତି । ପ୍ରତିଦିନ ସନ୍ଧ୍ୟାରେ ୩ଟାରୁ ୫ଟା ବୁଥ୍ରେ ଉପସ୍ଥିତ ରହିବେ ବିଏଲଓ । ସକାଳେ ଘର ଘର ବୁଲି ଗଣନା କରିବେ ।
ବର୍ତ୍ତମାନ ସୁଦ୍ଧା ୯୫ ପ୍ରତିଶତ ଅର୍ଥାତ ୩ କୋଟି ୧୬ ଲକ୍ଷ ୩ ହଜାର ୩୨୩ ଜଣ ଭୋଟରଙ୍କ ମ୍ୟାପିଂ ସରିଛି । ୧୭ ପ୍ରତିଶତ ସାମାନ୍ୟ ତ୍ରୁଟି ବାହାରିଛି । ବୟସ ତ୍ରୁଟି, ନାମ ତ୍ରୁଟି ଏବଂ ବାପାଙ୍କ ନାମ ତ୍ରୁଟି ଯୋଗୁଁ ଏରର ଆସୁଛି । ଡୋର ଡୋର ବୁଲିବା ବେଳେ ତାକୁ ସଂଶୋଧନ କରିବେ ବିଏଲଓ । ମ୍ୟାପିଂ ସାରିଥିବା ଭୋଟର ନିଜର ଫଟୋ ଦେବେ ଏବଂ ସାଇନ କରିବେ । ଭୋଟର ଚାହିଁଲେ ନୂଆ ଫଟୋ ଦେଇ ପାରିବେ । ସବୁ ଭୋଟରଙ୍କୁ ୨ଟା ଫର୍ମ ଦିଆଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।
ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ନେଇ ସୋସିଆଲ ମିଡିଆରେ କୌଣସି ପ୍ରକାର ଭ୍ରମାତ୍ମକ ସୂଚନା କିମ୍ବା ଗୁଜବ ଯେପରି ନ ବ୍ୟାପେ, ସେଥିପାଇଁ ପ୍ରତ୍ୟେକ ଜିଲ୍ଲାର ସୂଚନା ଓ ଲୋକସମ୍ପର୍କ ଅଧିକାରୀମାନେ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ତୀକ୍ଷ୍ଣ ନଜର ରଖିବେ । କୌଣସି ଅପପ୍ରଚାର ନଜରକୁ ଆସିଲେ, ପ୍ରଶାସନ ପକ୍ଷରୁ ସଙ୍ଗେ ସଙ୍ଗେ ତା’ର ସତ୍ୟାସତ୍ୟ ଉପସ୍ଥାପନ କରାଯାଇ ଖଣ୍ଡନ କରାଯିବ।
ଭୋଟର ତାଲିକା ପ୍ରସ୍ତୁତି ପାଇଁ ଉଦ୍ଦିଷ୍ଟ ସମସ୍ତ ଗଣନା ଫର୍ମକୁ ସ୍ଥାନୀୟ ଓଡ଼ିଆ ଭାଷାରେ ଉପଲବ୍ଧ କରାଯିବ, ଯାହାଦ୍ୱାରା ଗ୍ରାମାଞ୍ଚଳର ସାଧାରଣ ଲୋକେ ଏହାକୁ ସହଜରେ ବୁଝିପାରିବେ । ଏହା ସହିତ ଘରକୁ ଘର ବୁଲି ହେବାକୁ ଥିବା ଗଣନା କାର୍ଯ୍ୟକ୍ରମ ବିଷୟରେ ଲୋକଙ୍କୁ ସଚେତନ କରାଯିବ, ଯେପରି ସେମାନେ ନିଜ ସଠିକ୍ ତଥ୍ୟ ପ୍ରଦାନ କରିବେ ।
ଜନସାଧାରଣଙ୍କ ସହାୟତା ପାଇଁ ୧୯୫୦ ଟୋଲ୍ ଫ୍ରି ନିର୍ବାଚନ ହେଲ୍ପଲାଇନ ନମ୍ବରର ବ୍ୟାପକ ପ୍ରଚାର କରାଯିବ । ଏହି ନମ୍ବର ଜରିଆରେ ନାଗରିକମାନେ ଭୋଟର ତାଲିକା ସମ୍ବନ୍ଧୀୟ ସମସ୍ତ ସୂଚନା ପାଇପାରିବେ ଏବଂ ନିଜ ଅଞ୍ଚଳର ବୁଥ୍ ସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା ପାଇଁ ଏକ କଲ୍ ମଧ୍ୟ ବୁକ୍ (Book a call) କରିପାରିବେ ।
ଭୋଟର ସଂଶୋଧନ ପ୍ରକ୍ରିୟା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି । ସ୍ଥାନୀୟ ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମ ମାଧ୍ୟମରେ ଏହାର କିପରି ବହୁଳ ଭାବରେ ପ୍ରଚାର ପ୍ରସାର କରାଯାଇପାରିବ ସେ ଉପରେ ଡେପୁଟି ସିଇଓ ଲଷ୍ମୀପ୍ରସାଦ ସାହୁ ସମସ୍ତ ଜିଲ୍ଲାର ମିଡିଆ ସେଲ, ସୋସିଆଲ ମିଡିଆ ସେଲର ମୁଖ୍ୟ ଓ ଡିଆଇପିଆରଓ ମାନଙ୍କୁ ପରାମର୍ଶ ଦେଇଛନ୍ତି ।
ପ୍ରତ୍ୟେକ ଜିଲ୍ଲାରେ ନିର୍ବାଚନ ବିଭାଗ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଡେପୁଟି କଲେକ୍ଟର (ନିର୍ବାଚନ) ଓ ନୋଡାଲ ଅଫିସରମାନଙ୍କୁ ପରାମର୍ଶ ଦିଆଯାଇଛି । ଅନଲାଇନ୍ ମାଧ୍ୟମରେ ଆବେଦନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ସହ ବୁଥ୍ ସ୍ତରୀୟ ଅଧିକାରୀମାନଙ୍କୁ ସକ୍ରିୟ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା।
