ସଂଚାର ବ୍ୟୁରୋ: ଉତ୍ତର ପ୍ରଦେଶ ବାରାଣସୀରେ ତେଜିଲା ଏସଆଇଆର ବିରୋଧୀ ଆନ୍ଦୋଳନ। ଯୁବ କଂଗ୍ରେସ ପକ୍ଷରୁ କରାଯାଇଥିବା ଆନ୍ଦୋଳନରେ ପୋଲିସ ୨୦ରୁ ଅଧିକ କର୍ମୀଙ୍କୁ ଉଠାଇନେଇଛି। ଯୁବ କଂଗ୍ରେସ ଜାତୀୟ ସଭାପତି ଉଦୟ ଭାନୁଙ୍କୁ ୟୁପି ପୋଲିସ ନଜର ବନ୍ଦୀରେ ରଖିଛି। ସାରା ସହରରେ ପୋଲିସ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଭୋଟ ଚୋରି ଅଭିଯୋଗରେ କଂଗ୍ରେସ କର୍ମୀମାନେ ସର୍କିଟ ହାଉସ ନିକଟରେ ପ୍ରତିବାଦ କରିଥିଲେ। ପ୍ରତିବାଦ ସମୟରେ ପୋଲିସ ଅନେକ ଯୁବ କଂଗ୍ରେସ ନେତାଙ୍କୁ ଅଟକ ରଖିଥିଲା। କଂଗ୍ରେସ କର୍ମୀମାନେ ସକାଳେ ସର୍କିଟ ହାଉସରେ ଏକାଠି ହୋଇଥିଲେ। ଯୁବ କଂଗ୍ରେସ କର୍ମୀମାନେ ବିମାନବନ୍ଦରରେ ପୋଲିସକୁ ଚକମା ଦେଇ ସର୍କିଟ ହାଉସରେ ପହଞ୍ଚିଥିଲେ। ପୋଲିସ ପ୍ରତିବାଦକାରୀଙ୍କ ଗତିବିଧି ଉପରେ ନଜର ରଖିଥିଲା ଏବଂ ଗିରଫଦାରୀ ପାଇଁ ପ୍ରସ୍ତୁତ ଥିଲା। ବେକାରୀ, ମୁଦ୍ରାସ୍ଫୀତି ଏବଂ ଅନ୍ୟାନ୍ୟ ସାମାଜିକ ସମସ୍ୟା, ଏବଂ ବାରାଣସୀର ଲୋକଙ୍କ ଭୋଟ ଚୋରି ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଉଦ୍ଦେଶ୍ୟରେ ଏହି ଆନ୍ଦୋଳନ ହୋଇଛି। ଆଗକୁ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି କହିଛନ୍ତି ନେତା।

