ଆର ପାରିରେ ସିଦ୍ଧାନ୍ତଙ୍କ ମାଆ । ଓଡ଼ିଶାର ଖ୍ୟାତନାମା ଅଭିନେତା ତଥା ବିଜେପି ଦଳର ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ମା’ କନକ ମହାପାତ୍ରଙ୍କ ବିୟୋଗ । କିଛି ଦିନ ହେବ ସେ ଅସୁସ୍ଥ ଥିଲେ । ଶନିବାର ହଠାତ୍ ତାଙ୍କର ପରଲୋକ ଘଟିଛି । ସେ ଜଣେ ଧର୍ମପରାୟଣା, ପରୋପକାରିଣୀ ଏବଂ ବନ୍ଧୁବତ୍ସଳା ମହିଳା ଭାବେ ଜନପ୍ରିୟ ଥିଲେ ।
ମାଆଙ୍କ ବିୟୋଗରେ ଭାଙ୍ଗିପଡ଼ିଛନ୍ତି ପୁଅ ତଥା ବିଧାୟକ ସିଦ୍ଧାନ୍ତ ମହାପାତ୍ର । କେବଳ ସିଦ୍ଧାନ୍ତ ନୁହଁନ୍ତି ରାଜ୍ୟ ରାଜନୀତିର ବଡ଼ ବଡ଼ ବ୍ୟକ୍ତିତ୍ୱ ମଧ୍ୟ ଏହି ଖବର ଶୁଣିବା ପରେ ମର୍ମାହତ ହୋଇପଡ଼ିଛନ୍ତି ।
କେନ୍ଦ୍ର ଉଚ୍ଚଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଏକ୍ସ ହ୍ୟାଣ୍ଡେଲରେ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି । ଏହାସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ସିଦ୍ଧାନ୍ତଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ପହଞ୍ଚି ତାଙ୍କ ମାଆଙ୍କ ଶେଷ ଦର୍ଶନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂହ ମଧ୍ୟ ଉପସ୍ଥିତ ଅଛନ୍ତି ।