ସଂଚାର ବ୍ୟୁରୋ: ବେଙ୍ଗାଲୁରୁରେ ମହିଳାଙ୍କୁ ହତ୍ଯା କରି ଫ୍ରିଜରେ ଲୁଚାଇ ରଖିବା ଘଟଣା । ପୋଲିସର ସନ୍ଦେହରେ ଥିବା ଯୁବକ ଗାଁକୁ ଆସି ରଶି ଲଗାଇ କରିଛନ୍ତି ଆତ୍ମହତ୍ୟା । ଭଦ୍ରକ ଧୁଷୁରୀ ଥାନା ଭୂଇଁପୁର ଗାଁର ମୁକ୍ତିରଞନ ରାୟ ଦୀର୍ଘ ବର୍ଷ ହେବ ବେଙ୍ଗାଲୁରୁରେ ରହି ଆସୁଥିଲେ। ହେଲେ ଗତକାଲି ଗାଁକୁ ଆସି ଘରେ କିଛି ସମୟ ରହିବା ପରେ ରାତିରେ ଘରୁ ପଳାଇଥିଲେ। ଆଜି କୁଳେଇପଦା ଶ୍ମଶାନ ନିକଟରେ ଥିବା ଏକ ଗଛରେ ମୁକ୍ତିରଂଜନ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୁକ୍ତିରଂଜନ ବେଙ୍ଗାଲୁରୁରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ସେ ମଙ୍ଗଳବାର ରାତିରେ ନିଜ ଘରେ ପହଞ୍ଚିଥିଲେ । ରାତି ୪ଟାରେ ଏକ ସ୍କୁଟିରେ ଭଦ୍ରକ ଯିବେ ବୋଲି କହି ଘରୁ ବାହାରି ଯାଇଥିଲେ । ସ୍କୁଟି ଉପରେ ଏକ ଲାପଟପ ବ୍ୟାଗ ରଖି ସେ ଆତ୍ମହତ୍ୟା କରିଥିଲେ । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିଲା ବେଳେ ଆରଡି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା । ଏ ସଂକ୍ରାନ୍ତରେ ଧୁଷୁରୀ ଥାନାରେ ଏକ ଅପମୃତ୍ଯୁ ମାମଲା ରୁଜୁ କରାଯାଇଛି । ପୋଲିସ ଘଟଣାସ୍ଥଳରୁ ଜବତ କରିଥିବା ବ୍ଯାଗରୁ ଲ୍ଯାପଟପ ଓ ଡାଇରୀ ଭଳି ଅନେକ ସାମଗ୍ରୀ ପାଇ ତଦନ୍ତ ଚଳାଇଛି । ବେଙ୍ଗାଲୁରୁରେ ମହିଳାଙ୍କୁ ହତ୍ଯା କରି ଦୀର୍ଘ ଦିନ ଧରି ଫ୍ରିଜରେ ରଖିବା ଘଟଣାରେ ମୁକ୍ତିରଂଜନକୁ ସନ୍ଦେହ ଘେରକୁ ଆସିଥିଲେ । ଘଟଣା ପରଠାରୁ ସେ ଫେରାର ହୋଇ ବୁଲୁଥିଲେ।