ଭୁବନେଶ୍ୱର: ଆଜି ପୌଷ ପୂର୍ଣ୍ଣିମାରେ ଆକାଶରେ ଦୃଶ୍ୟମାନ ହେବ ୨୦୨୬ ମସିହାର ପ୍ରଥମ ସୁପର୍ମୁନ୍। ପୂର୍ଣ୍ଣମୀ ସମୟରେ ଚନ୍ଦ୍ର ପ୍ରାୟ ୩ ଲକ୍ଷ ୬୨ହଜାର କିଲୋମିଟର ନିକଟରେ ରହିବ। ତେଣୁ ସାଧାରଣ ଦିନର ପୂର୍ଣ୍ଣଚନ୍ଦ୍ରଠାରୁ ଏହା ପ୍ରାୟ ୧୪% ବଡ଼ ସହ ୩୦% ଉଜ୍ଜଳ ଦେଖାଯିବ। ତେବେ ଅନ୍ୟ ସୁପରମୁନ୍ ଅପେକ୍ଷା ଏହା ଖୁବ୍ ବିରଳ । କାରଣ ଆଜି ଚନ୍ଦ୍ର ପୃଥିବୀର ନିକଟତର ହେବା ସହ ପୃଥିବୀ ମଧ୍ୟ ସୂର୍ଯ୍ୟର ସବୁଠୁ ନିକଟତର ହେବ । ସୂର୍ଯ୍ୟାସ୍ତ ପରେ ପରେ ସନ୍ଧ୍ୟା ୫ଟା ୪୫ରୁ ୬ଟା ମଧ୍ୟରେ ସବୁଠୁ ବଡ଼ ଓ ଉଜ୍ଜ୍ୱଳ ଦେଖାଯିବ ପୂର୍ଣ୍ଣଚନ୍ଦ୍ର । ସେହିପରି ୨୦୨୬ ମସିହାରେ ଦ୍ୱିତୀୟ ସୁପରମୁନ୍ ନଭେମ୍ବର ୨୪ ଓ ଶେଷ ସୁପରମୁନଟି ଡିସେମ୍ବର ୨୩ ତାରିଖରେ ଦେଖାଯିବା ସହ ମେ ୧, ମେ ୩୧ ଏବଂ ଜୁନ୍ ୨୯ ତାରିଖରେ ମାଇକ୍ରୋମୁନ୍ ବା ଛୋଟ ଚନ୍ଦ୍ର ଦେଖାଯିବ। ଏଗୁଡ଼ିକ ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟ, ଯାହାକୁ ଖାଲି ଆଖିରେ ଦେଖିହେବ।
ତେବେ ଆକାଶ ମେଘମୁକ୍ତ ତଥା କୁହୁଡ଼ିମୁକ୍ତ ରହିଲେ ଆଜି ଏହାକୁ ସୂର୍ଯ୍ୟାସ୍ତ ପରଠାରୁ ସାରା ରାତି ଓଡ଼ିଶା ତଥା ଭାରତର ସବୁ ଅଞ୍ଚଳରୁ ଖାଲି ଆଖିରେ ଦେଖିହେବ ବୋଲି ଜନବିଜ୍ଞାନୀ ଡ. ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି। ସୁପର୍ମୁନ୍ ଏକ ସାଧାରଣ ମହାଜାଗତିକ ଘଟଣା। ଏହାର କୌଣସି ପ୍ରଭାବ ପୃଥିବୀ କିମ୍ବା ମାନବ ସମାଜ ଉପରେ ପଡେ଼ନାହିଁ ବୋଲି ଡ. ପଟ୍ଟନାୟକ କହିଛନ୍ତି।
‘ସୁପରମୁନ୍’ ଶବ୍ଦଟି ପ୍ରଥମେ ଆମେରିକାର ଜ୍ୟୋତିଷ ରିଚାର୍ଡ ନଲ୍ ୧୯୭୯ ମସିହାରେ ପ୍ରଚଳନ କରିଥିଲେ। ଧୀରେ ଧୀରେ ସୁପରମୁନ ଶବ୍ଦଟି ଖୁବ୍ ଲୋକପ୍ରିୟ ହୋଇ ଏବେ ବହୁଳ ଭାବରେ ବ୍ୟବହାର ହେଉଛି। ଚନ୍ଦ୍ର ପୃଥିବୀ ଚାରିପଟେ ପ୍ରାୟ ୨୭.୫ ଦିନରେ ଥରେ ଏକ ଅଣ୍ଡାକୃତି ପଥରେ ବୁଲିଥାଏ। ସବୁଠାରୁ ନିକଟରେ ଥିଲାବେଳ ଚନ୍ଦ୍ର ଆମଠାରୁ ପ୍ରାୟ ୩.୫୬ ଲକ୍ଷ କିଲୋମିଟର ଦୂରରେ ରହିଥାଏ ଏବଂ ଧୀରେଧୀରେ ୪.୦୬ ଲକ୍ଷ କିଲୋମିଟର ଦୂରକୁ ଚାଲିଯାଇଥାଏ। ଜ୍ୟୋତିଷ ରିଚାର୍ଡ ନଲ୍ଙ୍କ ପରିଭାଷାରେ ଯଦି ଚନ୍ଦ୍ର ଆମଠାରୁ ୩.୬୩ ଲକ୍ଷ କିଲୋମିଟର ବା ତା’ଠାରୁ ନିକଟରେ ଥିବା ସମୟରେ ଏକ ପୂର୍ଣ୍ଣମୀ ପଡ଼ିଥାଏ, ତା’ହେଲେ ସେହି ଚନ୍ଦ୍ରକୁ ସୁପରମୁନ କୁହାଯାଏ।

