ସଂଚାର ବ୍ୟୁରୋ: ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ କେବଳ ଜଣେ ମାତ୍ର ଯାତ୍ରୀଙ୍କୁ ଛାଡି ସମସ୍ତ ଯାତ୍ରୀ ଆରପାରିକୁ ଚାଲିଗଲେ । ଏହି ଦୁର୍ଘଟଣାରେ ଯେଉଁ ବ୍ୟକ୍ତି ବର୍ତ୍ତିଯାଇଥିଲେ ସେ ହେଉଛନ୍ତି ବିଶ୍ବାସ କୁମାର ରମେଶ। ସେ ଏହି ପ୍ଲେନର ସିଟ ନମ୍ବର 11Aରେ ବସିଥିଲେ। ହେଲେ ଏହି ସଂଖ୍ୟାକୁ ନେଇ ପୁଣି ଏକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ତାହା ହେଲା ୨୭ ବର୍ଷ ତଳେ ଥାଇଲାଣ୍ଡର ଜଣେ ଅଭିନେତା ତଥା ଗାୟକ ସମଧରଣର ଏକ ବିମାନ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ହେଲେ ସେ ବର୍ତ୍ତିଯାଇଥିଲେ। ତାଙ୍କର ବି ସିଟ ନମ୍ବର ଥିଲା 11A।
ଥାଇଲାଣ୍ଡର ରୁଆଙ୍ଗସକ ଲୋଚୁସାକ ନାମକ ଜଣେ ୨୦ ବର୍ଷର ଯୁବକ ୧୧ ଡିସେମ୍ବର ୧୯୯୮ରେ ଥାଇ ଏୟାରୱେଜ ଫ୍ଲାଇଟ TG261ରେ ଯାତ୍ରୀ ଥିଲେ। ବିମାନରେ ଥିଲେ ୧୪୬ ଯାତ୍ରୀ। ତେବେ ବିମାନଟି ଦୁର୍ଘଟଣାର ସମ୍ମୁଖୀନ ହୋଇ ଏକ ଖାତରେ ଖସିପଡିଥିଲା। ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ ୧୦୧ ଜଣ ଯାତ୍ରୀ। ତେବେ ରୁଆଙ୍ଗସକ ଏଥିରୁ ବର୍ତ୍ତିଯାଇଥିଲେ। ତାଙ୍କର ବି ସିଟ ନମ୍ବର ଥିଲା 11A। ରୁଆଙ୍ଗସକ ଏୟାରଇଣ୍ଡିଆ ବିମାନ ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ସହ ଏହି ସିଟ ନମ୍ବରରେ ମେଳ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଅନ୍ଯପଟେ ବିମାନ ବିଶେଷଜ୍ଞଙ୍କ କହିବା କଥା, ଏଆଇ-୧୭୧ ପ୍ଲେନରେ ଜରୁରୀ ନିଷ୍କାସନ ଫାଟକକୁ ଲାଗି ୧୧-ଏ ସିଟଟି ଥିଲା । ଯାହାଯୋଗୁଁ ଜଣେ ଯାତ୍ରୀ ଜୀବିତ ବଂଚିପାରିଲେ । କିନ୍ତୁ ଏପରି ବ୍ଯବସ୍ଥା ସବୁ ବିମାନରେ ସମାନ ନଥାଏ । ବରଂ ବିମାନର ଉଭୟ ଡେଣା ସିଧାରେ ଥିବା ସିଟ ବେଶୀ ସୁରକ୍ଷିତ ବୋଲି ବିଶେଷଜ୍ଞ କହିଛନ୍ତି ।