ଗୋଟିଏ ପଟେ ସରକାରୀ ଚାକିରି ପ୍ରତି ଯୁବପିଢ଼ିଙ୍କ ମଧ୍ୟରେ କ୍ରେଜ୍ ବଢ଼ୁଛି, ଅନ୍ୟପଟେ ସରକାରୀ ସ୍କୁଲକୁ ନେଇ ଆସିଛି ଚିନ୍ତାଜନକ ଖବର । ଗୋଟିଏ ବର୍ଷରେ ଦେଶର ପ୍ରାୟ ୯,୯୦୦ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲ ବନ୍ଦ ହୋଇଛି । ସଂସଦରେ ଉପସ୍ଥାପିତ UDISE+ ତଥ୍ୟ ଏହି ଚିତ୍ର ସାମ୍ନାକୁ ଆଣିଛି । କିନ୍ତୁ ଏତେ ସଂଖ୍ୟକ ସ୍କୁଲ କାହିଁକି କମିଲା ? ଛାତ୍ରସଂଖ୍ୟା ହ୍ରାସ ଏହାର ପ୍ରମୁଖ
କାରଣ ନା ରହିଛି ଆଉ କିଛି ବଡ଼ କାରଣ ?
ଲୋକସଭାରେ ଦିଆଯାଇଥିବା ତଥ୍ୟ ଅନୁସାରେ, ୨୦୨୪-୨୫ ଶିକ୍ଷାବର୍ଷରେ ଦେଶରେ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲ ସଂଖ୍ୟା ୮.୮୯ ଲକ୍ଷରୁ ଅଧିକ ଥିଲା । କିନ୍ତୁ ୨୦୨୫-୨୬ରେ ଏହି ସଂଖ୍ୟା ହ୍ରାସ ପାଇ ପ୍ରାୟ ୮.୮୦ ଲକ୍ଷରେ ପହଞ୍ଚିଛି । ଅର୍ଥାତ୍ ଗୋଟିଏ ବର୍ଷ ମଧ୍ୟରେ ପ୍ରାୟ ୯,୯୦୦ ସରକାରୀ ସ୍କୁଲ ସଂଖ୍ୟା ହ୍ରାସ ପାଇଛି ।
ରାଜ୍ୟୱାରୀ ତଥ୍ୟକୁ ଦେଖିଲେ, ସବୁଠାରୁ ଅଧିକ ହ୍ରାସ ମେଘାଳୟରେ ଦେଖିବାକୁ ମିଳିଛି । ସେଠାରେ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲ ସଂଖ୍ୟାରେ ୨ ହଜାରରୁ ଅଧିକ ହ୍ରାସ ଘଟିଛି। ଏହା ପରେ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ରହିଛି । ଏହି ଦୁଇ ରାଜ୍ୟରେ ମଧ୍ୟ ସରକାରୀ ସ୍କୁଲ ସଂଖ୍ୟାରେ ବଡ଼ ହ୍ରାସ ଦେଖିବାକୁ ମିଳିଛି ।
ତେବେ ସବୁ ରାଜ୍ୟରେ ସ୍କୁଲ ସଂଖ୍ୟା କମିନାହିଁ । କିଛି ରାଜ୍ୟରେ ବରଂ ସରକାରୀ ସ୍କୁଲ ସଂଖ୍ୟା ବଢ଼ିଛି । ବିହାର ଓ ଛତିଶଗଡ଼ରେ ସରକାରୀ ସ୍କୁଲ ସଂଖ୍ୟାରେ ବୃଦ୍ଧି ଦେଖିବାକୁ ମିଳିଛି ।
କିନ୍ତୁ ଏତେ ସଂଖ୍ୟାରେ ସରକାରୀ ସ୍କୁଲ କାହିଁକି କମିଲା, ଏବେ ଏହାକୁ ନେଇ ବଡ଼ ପ୍ରଶ୍ନ ଉଠିଛି । ଛାତ୍ରଛାତ୍ରୀଙ୍କସଂଖ୍ୟା କମିବା ଯୋଗୁଁ ବନ୍ଦ ହୋଇଛି କି ସରକାରୀ ସ୍କୁଲ ? ସଂସଦରେ ଏହି ପ୍ରଶ୍ନ ଉଠାଯାଇଥିଲା। ତେବେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହା ସ୍ପଷ୍ଟ କରାଯାଇନାହିଁ ଯେ କମିଥିବା ସ୍କୁଲଗୁଡ଼ିକ ମଧ୍ୟରୁ କେତୋଟି ସ୍କୁଲ କେବଳ ଛାତ୍ରସଂଖ୍ୟା ହ୍ରାସ କାରଣରୁ ବନ୍ଦ ହୋଇଛି । ତେବେ ସରକାରୀ ସ୍କୁଲ ସଂଖ୍ୟାରେ ଏହି ବଡ଼ ହ୍ରାସ ପଛରେ ପ୍ରକୃତ କାରଣ କ’ଣ, ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
