ସଂଚାର ବ୍ୟୁରୋ: ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ସଞ୍ଜୀବ ଖାନ୍ନା । ସିଜେଆଇ ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ଼ ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ବରିଷ୍ଠ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ନାମ ସୁପାରିସ କରିଛନ୍ତି। ପରମ୍ପରା ଅନୁସାରେ ବର୍ତ୍ତମାନର ପ୍ରଧାନ ବିଚାରପତି ନୂଆ ଉତ୍ତରାଧିକାରୀଙ୍କ ନାମ ସୁପାରିସ କରିଥାନ୍ତି । ଗତ ସପ୍ତାହରେ କେନ୍ଦ୍ର ସରକାର ତାଙ୍କ ଉତ୍ତରାଧିକାରୀ ସୁପାରିସ କରନ୍ତୁ ବୋଲି ଜଷ୍ଟିସ ଚନ୍ଦ୍ରଚୂଡଙ୍କୁ ଚିଠି ଲେଖିବା ପରେ ଏବେ ଜଷ୍ଟିସ ଖାନ୍ନାଙ୍କ ନାମକୁ ସେ ସୁପାରିସ କରିଛନ୍ତି ।
ସରକାରଙ୍କ ଅନୁମୋଦନ ପରେ ଶୀର୍ଷ ପଦ ପାଇଁ ଜଣେ ବରିଷ୍ଠ ବିଚାରପତି ପ୍ରଧାନ ବିଚାରପତି ଭାବେ ନିଯୁକ୍ତି ପାଇଥାନ୍ତି । ପ୍ରଧାନ ବିଚାରପତି ଭାବରେ ଜଷ୍ଟିସ୍ ଚନ୍ଦ୍ରଚୂଡଙ୍କ କାର୍ଯ୍ୟକାଳ ନଭେମ୍ବର ୧୦ ତାରିଖରେ ଶେଷ ହେଉଛି । ୨୦୨୨ ମସିହା ନଭେମ୍ବର ୯ ତାରିଖରେ ସେ ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ୧୯୬୦ ମସିହା ମେ’ ୧୪ ତାରିଖରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ ଖାନ୍ନା ୧୯୮୩ ମସିହାରେ ଦିଲ୍ଲୀ ବାର କାଉନସିଲରେ ପଞ୍ଜୀକୃତ ହୋଇ ଲ’ ପ୍ରାକ୍ଟିସ ଆରମ୍ଭ କରିଥିଲେ । ଦୀର୍ଘ ବର୍ଷର ଓକିଲାତି ପରେ ତାଙ୍କୁ ୨୦୦୪ ରେ ‘ଏନସିଆର’ର ସ୍ଥାୟୀ ଓକିଲ ଭାବେ କେନ୍ଦ୍ର ସରକାର ନିଯୁକ୍ତି ଦେଇଥିଲେ ।
୨୦୦୫ରେ ସେ ଦିଲ୍ଲୀ ହାଇକୋର୍ଟର ଅତିରିକ୍ତ ଜଜ୍ ଭାବେ ବିଚାରପତି ଜୀବନ ଆରମ୍ଭ କରିଥିଲେ । ୨୦୧୯ ଜାନୁଆରୀ ୧୮ ତାରିଖରେ ସେ ସର୍ବୋଚ୍ଚ କୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ପରେ ସେ ସର୍ବୋଚ୍ଚ କୋର୍ଟର ଆଇନ ସେବା ସମିତିର ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ । ଏକାଧିକ ସମ୍ବେଦନଶୀଳ ମାମଲାରେ ସେ ସହ-ବିଚାରପତି ଭାବେ ପ୍ରଧାନ ବିଚାରପତିଙ୍କ ନେତୃତ୍ବାଧୀନ ଖଣ୍ଡପୀଠରେ ସଦସ୍ଯ ହୋଇଛନ୍ତି । ଏବେ ସେ ସର୍ବୋଚ୍ଚ କୋର୍ଟର ମୁଖ୍ୟ ଭାବେ ଦାୟିତ୍ବ ନେବେ । ମାତ୍ର ୬ ମାସ କାଳ ଦାୟିତ୍ବରେ ରହି ଆସନ୍ତାବର୍ଷ ମେ’ ୧୩ ତାରିଖରେ ସେ ଅବସର ନେବେ ।