ଭାରତୀୟ ବ୍ୟାଡମିଣ୍ଟନ ତାରକା ଏବଂ ଅଲିମ୍ପିକ୍ ପଦକ ବିଜେତା ସାଇନା ନେହୱାଲ ସ୍ବାମୀ ପାରୁପାଲି କଶ୍ୟପଙ୍କ ଠାରୁ ଅଲଗା ହୋଇଛନ୍ତି । ସାଇନା ଏକ ସୋସିଆଲ ମିଡିଆ ମାଧ୍ୟମରେ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି । ସାଇନା ଏବଂ ଭାରତର ପୂର୍ବତନ ବ୍ୟାଡମିଣ୍ଟନ ତାରକା ପାରୁପାଲି କଶ୍ୟପ ଦୀର୍ଘ ଦିନର ସମ୍ପର୍କ ପରେ ୨୦୧୮ରେ ବିବାହ କରିଥିଲେ । ହେଲେ ବିବାହର ୭ ବର୍ଷ ପରେ, ଉଭୟ ଅଲଗା ହୋଇଛନ୍ତି ।
ସାଇନା ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ନୋଟ୍ ସେୟାର କରିଛନ୍ତି, ଜୀବନରେ ଆମେ କେବେ କେବେ ଭୁଲ୍ ରାସ୍ତାରେ ଚାଲିଯାଉ । ବହୁତ ବିଚାର କରିବା ପରେ, ମୁଁ ଏବଂ ପାରୁପଲି ଅଲଗା ହେବାର ନିଷ୍ପତ୍ତି ନେଇଛୁ । ଆମେ ପରସ୍ପର ପାଇଁ ଶାନ୍ତି, ବିକାଶ ଏବଂ ସୁସ୍ଥ ଜୀବନ ବାଛିବାକୁ ନିଷ୍ପତ୍ତି ନେଇଛୁ । ଏସବୁ ସ୍ମରଣୀୟ ମୁହୂର୍ତ୍ତ ପାଇଁ ଆପଣଙ୍କ ପାଖରେ କୃତଜ୍ଞ ଏବଂ ଭବିଷ୍ୟ ପାଇଁ ଶୁଭକାମନା ଦେଉଛି । ଆମର ପ୍ରାଇଭେସୀ ବୁଝିବା ଏବଂ ଏହାର ସମ୍ମାନ କରିବା ପାଇଁ ଧନ୍ୟବାଦ ।
ସାଇନା ଏବଂ ପାରୁପଲି ୨୦୧୮ରେ ଡିସେମ୍ବର ୧୪ରେ ବିବାହ କରିଥିଲେ । ହରିୟାଣାର ହିସାରରେ ଜନ୍ମିତ ସାଇନା ପାରୁପଲିଙ୍କ ଠାରୁ ୩ ବର୍ଷ ସାନ । ଦୀର୍ଘ ସମୟ ଧରି ଏହି ଉଭୟ ତାରକା ଗଣମାଧ୍ୟମ ଏବଂ ପ୍ରଶଂସକଙ୍କ ଦୃଷ୍ଟିରୁ ସେମାନଙ୍କ ସମ୍ପର୍କକୁ ଦୂରରେ ରଖିଥିଲେ । ଉଭୟ ହାଇଦ୍ରାବାଦର କିମ୍ବଦନ୍ତୀ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ପୁଲେଲା ଗୋପୀଚାନ୍ଦଙ୍କ ଏକାଡେମୀରେ ସାକ୍ଷାତ କରିଥିଲେ।