ସଂଚାର ବ୍ୟୁରୋ: ପୁଣି ସସପେନ୍ସରେ ଅଭିନେତା ସୈଫ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ ଘଟଣା। ସୈଫଙ୍କ ଘରୁ ନିଆଯାଇଥିବା ୧୯ ସେଟ ଫିଙ୍ଗର ପ୍ରିଣ୍ଟ ସହ ଅଭିଯୁକ୍ତ ଶରିଫୁଲ ଇସଲାମର ଫିଙ୍ଗର ପ୍ରିଣ୍ଟ ଖାପ ଖାଉ ନଥିବାରୁ ସନ୍ଦେହ ଅଧିକ ଘନୀଭୂତ ହୋଇଛି। ସୈଫଙ୍କ ଘରୁ ସଂଗୃହୀତ ଫିଙ୍ଗର ପ୍ରିଣ୍ଟଗୁଡ଼ିକୁ ରାଜ୍ଯ କ୍ରିମିନାଲ ତଦନ୍ତ ବିଭାଗ ବା ସିଆଇଡିର ଫିଙ୍ଗର ପ୍ରିଣ୍ଟ ବ୍ଯୁରୋକୁ ପଠାଇଥିଲା ମୁମ୍ବାଇ ପୋଲିସ। ମାତ୍ର ତଥ୍ଯ ଅନୁସାରେ ଏହି ଫିଙ୍ଗର ପ୍ରିଣ୍ଟ ଅଭିଯୁକ୍ତର ଫିଙ୍ଗର ପ୍ରିଣ୍ଟ ସହ ମିଶି ନଥିଲା। ଗତ ୧୬ ତାରିଖରେ ସୈଫଙ୍କ ଘରେ ପଶି ଅଭିଯୁକ୍ତ ତାଙ୍କୁ ୬ ଥର ଛୁରୀ ଭୁସିଥିଲା। ଘଟଣାର ତଦନ୍ତ ଲାଗି ପୋଲିସର ପ୍ରାୟ ୩୫ଟି ଟିମ ଗଠିତ ହୋଇଥିଲା। ଶେଷରେ ଶରିଫୁଲକୁ ଗିରଫ କରାଯାଇଥିଲା। ଗତ ମଙ୍ଗଳବାର ସୈଫ ଅଲ୍ଲୀ ଖାନ ସୁସ୍ଥ ହୋଇ ଲୀଳାବତୀ ହସ୍ପିଟାଲରୁ ବାହାରି ଥିଲେ। ତେବେ ଶରିଫୁଲ ଅଭିଯୁକ୍ତ ନୁହେଁ ବୋଲି କହିଥିଲେ ତାଙ୍କ ବାପା।