ସଂଚାର ବ୍ୟୁରୋ: ବଲିଉଡ ତାରକା ସୈଫ ଅଲ୍ଲୀ ଖାନଙ୍କ ଲାଗି ପଡ଼ିଛି ଖରାପ ସମୟ। ପଟୌଦି ପରିବାରର ପ୍ରାୟ ୧୫ ହଜାର କୋଟି ଟଙ୍କା ସମ୍ପତ୍ତି ଉପରେ ଜାରି ରହିଥିବା ରହିତାଦେଶକୁ ହଟାଇ ଦେଇଛନ୍ତି ମଧ୍ଯପ୍ରଦେଶ ହାଇକୋର୍ଟ। ଫଳରେ ଏହି ସମ୍ପତ୍ତି ଉପରେ ଅଧିକାର ସାବ୍ଯସ୍ତ କରିପାରନ୍ତି ରାଜ୍ଯ ସରକାର। ଏନିମି ପ୍ରପର୍ଟି ଆକ୍ଟ ୧୯୬୮ ଅନୁସାରେ ମଧ୍ଯପ୍ରଦେଶ ସରକାର ଏହି ସମ୍ପତ୍ତିକୁ ହସ୍ତଗତ କରିପାରନ୍ତି ବୋଲି ସମ୍ଭାବନା ସୃଷ୍ଟି ହୋଇଛି। ୨୦୧୫ରେ ଭୋପାଳରେ ଥିବା ଏହି ସମ୍ପତ୍ତି ଉପରେ ଜାରି ହୋଇଥିଲା ରହିତାଦେଶ। ଏହି ସମ୍ପତ୍ତି ମଧ୍ଯରେ ରହିଛି ସୈଫଙ୍କ ବାଲ୍ଯ ଜୀବନ କଟିଥିବା ଫ୍ଲାଗ ଷ୍ଟାଫ ହାଉସ, ନୁର-ଉସ-ସବାହ ପ୍ଯାଲେସ, ଦର-ଉସ-ସଲାମ, ହବିବି ବଙ୍ଗଳା, ଅହମ୍ମଦାବାଦ ପ୍ଯାଲେସ, କୋହେଫିଜା ପ୍ରପର୍ଟି ଓ ଅନ୍ଯ କେତେକ କୋଠା। ଜଷ୍ଟିସ ବିବେକ ଅଗ୍ରୱାଲ ମାମଲାର ବିଚାର କରିବା ସହ ୩୦ ଦିନ ମଧ୍ଯରେ ଉତ୍ତର ରଖିବା ଲାଗି ବିଭିନ୍ନ ପକ୍ଷକୁ ନିର୍ଦ୍ଦେଶ ଦେଇଛନ୍ତି। ଏନିମି ପ୍ରପର୍ଟି ଆକ୍ଟ ଅନୁସାରେ ୧୯୬୫ ଯୁଦ୍ଧ ପରେ ଯେଉଁ ବ୍ଯକ୍ତିବିଶେଷ ପାକିସ୍ତାନକୁ ଚାଲିଯାଇଥିଲେ ସେମାନଙ୍କ ସମ୍ପତ୍ତିକୁ କେନ୍ଦ୍ର ସରକାର ଅଧିକାରକୁ ନେବେ। ଭୋପାଳର ଶେଷ ନବାବ ହମିଦୁଲ୍ଲା ଖାଁଙ୍କର ୩ ଝିଅ ଥିଲେ। ୧୯୫୦ରେ ତାଙ୍କ ଜ୍ୟେଷ୍ଠା କନ୍ଯା ଆବିଦା ସୁଲତାନ ପାକିସ୍ତାନକୁ ଚାଲିଯାଇଥିଲେ। ଦ୍ବିତୀୟ ଝିଅ ସାଜିଦା ସୁଲତାନ ଭାରତରେ ରହିଥିଲେ ଏବଂ ନବାବ ଇଫତିକାର ଅଲ୍ଲୀ ଖାଁ ପଟୌଦିଙ୍କୁ ବିବାହ କରିବା ସହ ସମ୍ପତ୍ତିର ଆଇନଗତ ହକଦାର ପାଲଟିଥିଲେ। ସାଜିଦାଙ୍କ ନାତି ସୈଫ ଅଲ୍ଲୀ ଖାନ ଏସବୁ ସମ୍ପତ୍ତିର କିଛି ଅଂଶ ପାଇଥିଲେ। ତେବେ ଆବିଦାଙ୍କ ପାକିସ୍ତାନ ପଳାୟନ ଘଟଣା ଏହି ସମ୍ପତ୍ତି ଉପରେ ଥିବା ସରକାରଙ୍କ ଅଧିକାରକୁ ବଳଶାଳୀ କରିଥିଲା। ୨୦୧୯ରେ ସାଜିଦାଙ୍କୁ ଉତ୍ତରାଧିକାରୀ ଭାବେ କୋର୍ଟ ରାୟ ଦେଇଥିଲେ। ତେବେ ଭୋପାଳ ଜିଲ୍ଲାପାଳ ୭୨ ବର୍ଷର ରେକର୍ଡ ଯାଞ୍ଚ କରିଥିଲେ। ଏହି ମାମଲାରେ ନିମ୍ନ କୋର୍ଟ ଯେଉଁ ରହିତାଦେଶ ଦେଇଥିଲେ ତାହାକୁ ହଟାଇଦେଇଛନ୍ତି ହାଇକୋର୍ଟ। ଫଳରେ ଏହି ସମ୍ପତ୍ତିର ମାଲିକାନାକୁ ନେଇ ପ୍ରଶ୍ନ ଉଠିଛି।