ସଂଚାର ବ୍ୟୁରୋ: ଆତଙ୍କବାଦୀ ସଂଗଠନ ହିଜବୁଲ୍ଲାର ନୂଆ ମୁଖିଆ ହେଲା ହସିମ୍ ସଫିଦ୍ଦିନ। ନସରଲ୍ଲାକୁ ଇସ୍ରାଏଲ ହତ୍ୟା କରିବା ପରେ ସଫିଦ୍ଦିନକୁ ହିଜବୁଲ୍ଲାର ନୂଆ ମୁଖିଆ ଭାବେ ଘୋଷଣା କରାଯାଇଛି। ସଫିଦ୍ଦିନ ହେଉଛି ନସରଲ୍ଲାର ସଂପର୍କୀୟ।
ଗତକାଲି ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ନସରଲ୍ଲାର ମୃତ୍ୟୁ ହୋଇଥିଲା। ଲେବାନନର ରାଜଧାନୀ ବେରୁତରେ ଲୁଚି ଥିଲା ନସରଲ୍ଲା। ଯେଉଁ ବିଲଡିଂରେ ସେ ରହୁଥିଲା, ସେଠାରେ ଘନ ଘନ ଆକ୍ରମଣ କରି ୮୦ରୁ ଅଧିକ ବୋମା ମାଡ଼ କରିଥିଲା ଇସ୍ରାଏଲ। ଏଥିରେ ହିଜବୁଲ୍ଲାର ମୁଖିଆ ସହିତ ତାର ଅନେକ ସହଯୋଗୀଙ୍କ ମୃତ୍ୟୁ ହୋଇଛି। ଏହା ପରେ ସଫିଦ୍ଦିନକୁ ଏହି ଆତଙ୍କବାଦୀ ସଂଗଠନର ନୂଆ ମୁଖିଆ ଭାବେ ଘୋଷଣା କରାଯାଇଛି। ୨୦୧୭ରେ ସଫିଦ୍ଦିନକୁ ଆତଙ୍କବାଦୀ ଭାବେ ଘୋଷଣା କରିଥିଲା ଆମେରିକା।
ଗତକାଲିର ବୋମା ମାଡ଼ରେ ସଫିଦ୍ଦିନର ମଧ୍ୟ ମୃତ୍ଯୁ ହୋଇଥିବା ପ୍ରଥମେ କୁହାଯାଇଥିଲା। କିନ୍ତୁ ପରେ ଜଣା ପଡ଼ିଥିଲା ଯେ, ସେ ଜୀବୀତ ଅଛି। ହିଜବୁଲ୍ଲାର ରାଜନୈତିକ ବ୍ୟାପାର ବୁଝାବୁଝି କରେ ସଫିଦ୍ଦିନ । ତା ସହିତ ସଂଗଠନର ଜିହାଦ କାଉନସିଲ୍ ର ମଧ୍ୟ ସେ ସଭ୍ୟ ଅଛି। ଇରାନ ସହିତ ତାର ଘନିଷ୍ଠ ସଂପର୍କ । କିଛି ଦିନ ତଳେ ଇସ୍ରାଏଲର ଆକ୍ରମଣରେ ନିହତ ହୋଇଥିବା ଜୈନାବ ସୋଲେମାନଙ୍କ ଜ୍ଵାଇଁ ହେଉଛି ସଫିଦ୍ଦିନ। ସେ ମଧ୍ୟ ବହୁ ଦିନରୁ ହିଜବୁଲ୍ଲାରେ ଯୋଗ ଦେଇଥିଲା। ନବେ ଦଶକରୁ ହିଁ ନସରଲ୍ଲାର ଉତ୍ତରାଧିକାରୀ ଭାବେ ସେ ପରିଚିତ ଥିଲା ବୋଲି କୁହାଯାଏ। ହିଜବୁଲ୍ଲାର ଶିକ୍ଷା, ସ୍ଵାସ୍ଥ୍ୟ, ଅର୍ଥ ବ୍ୟାପାରର ମୁଖ୍ୟ ହେଉଛି ସଫିଦ୍ଦିନ। ନସରଲ୍ଲା କେବଳ ମିଲିଟାରି ଦାୟିତ୍ଵ ସମ୍ଭାଳୁଥିଲା।