ସଂଚାର ବ୍ୟୁରୋ: ପୁଣି ଆଉ ଏକ ଟ୍ରେନ ଦୁର୍ଘଟଣା । ସକାଳୁ ସକାଳୁ ଆସିଲା ଅଭାବନୀୟ ଖବର । ଉତ୍ତର ପ୍ରଦେଶର କାନପୁରରେ ସାବରମତୀ ଏକ୍ସପ୍ରେସ ଲାଇନତ୍ୟୁତ । ବିଳମ୍ୱିତ ରାତିରେ ଓଲଟିଲା ୨୨ ବଗି । ରାତି ପ୍ରାୟ ୨ଟା ୩୫ରେ ଘଟିଲା ଦୁର୍ଘଟଣା । ଏପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ କୌଣସି କ୍ଷୟକ୍ଷତିର ଖବର ସାମ୍ନାକୁ ଆସି ନାହିଁ । ଟ୍ରେନ୍ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସୁବିଧାକୁ ନଜରରେ ରଖି ରେଳ ବିଭାଗ ପକ୍ଷରୁ ବସ୍ର ବ୍ୟବସ୍ଥା କରାଯାଇଛି ।
ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ୱିତ ରାତ୍ରିରେ ଉତ୍ତର ପ୍ରଦେଶର କାନପୁରରେ ଲାଇନଚ୍ୟୁତ ହେଲା ସାବରମତୀ ଏକ୍ସପ୍ରେସ୍ । ରାତି ପାଖାପାଖି ୨ଟା୩୫ ମିନିଟରେ ଏହି ଦୁର୍ଘଟଣା ହୋଇଥିବା ନେଇ ରେଲ୍ ୱେ ବୋର୍ଡର ଅଧିକାରୀ ସୂଚନା ଦେଇଛନ୍ତି । ଏହି ଦୁର୍ଘଟଣାରେ ଟ୍ରେନର ୨୨ଟି ବଗି ଓଲଟି ଯାଇଛି । ଲାଇନରେ ରଖାଯାଇଥିବା କୌଣସି ବସ୍ତୁ ସହ ଇଞ୍ଜିନର ସାମ୍ନା ଭାଗ ପିଟି ହେବାରୁ ଏଦି ଦୁର୍ଘଟଣା ହୋଇଥିବା ନେଇ ଖବର ମିଳିଛି । ଏହି ଦୁର୍ଘଟଣା କାରଣରୁ ୭ଟି ଟ୍ରେନ୍ ବାତିଲ କରିଦିଆଯାଇଛି । ଏଥି ସହିତ ୩ଟି ଟ୍ରେନ୍ର ଲାଇନ୍ ବଦଳାଇ ଦିଆଯାଇଛି ।
ଅନ୍ୟପଟେ ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇନଥିବା ନେଇ ସୂଚନା ମିଳିଛି । ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଯାତ୍ରୀଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରାଯାଇ ବସ୍ରେ ଯାତ୍ରା କରିବାର ବ୍ୟବସ୍ଥା କରାଯାଇଛି । ସ୍ୱତନ୍ତ୍ର ବସ୍ରେ ଯାତ୍ରୀଙ୍କୁ କାନପୁର ପଠାଇବା ପାଇଁ ବ୍ୟବସ୍ଥା ହୋଇଛି । ଏନେଇ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।