ସଂଚାର ବ୍ୟୁରୋ: ୟୁକ୍ରେନ ଯୁଦ୍ଧ ଥମିବା ବଦଳରେ ବଢ଼ିବାରେ ଲାଗିଛି। ଜୋରଦାର ଆକ୍ରମଣ କରିଛି ରୁଷିଆ। ପ୍ରଥମ ଥର ପାଇଁ ରାଜଧାନୀ କିଭ୍ ରେ ଥିବା ଏକ ସରକାରୀ ବିଲଡିଂ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି ରୁଷିଆ। ଏହି ବିଲିଡଂରେ ୟୁକ୍ରେନର କ୍ୟାବିନେଟ ବୈଠକ ହୋଇଥାଏ। ପ୍ରଥମ ଥର ପାଇଁ ରୁଷିଆ ଏପରି ଗୁରୁତ୍ଵପୂର୍ଣ୍ଣ ସ୍ଥାନକୁ ଟାର୍ଗେଟ କରିଛି। ଏଥିରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଓ ବହୁ ଲୋକ ଆହତ ହୋଇଥିବାର ଖବର ମିଳିଛି। ଆକ୍ରମଣ ପରେ ସେହି ବିଲଡିଂରେ ନିଆଁ ଲାଗି ଯାଇଥିଲା। ରାଜଧାନୀ କିଭ୍ ର ଅନେକ ବିଲଡିଂ ମଧ୍ୟ ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଛି। ୟୁକ୍ରେନର ପ୍ରଧାନମନ୍ତ୍ରୀ ୟୁଲିଆ ସ୍ୱିରିଡେନକୋ କହିଛନ୍ତି, ଶତ୍ରୁର ଆକ୍ରମଣରେ ୟୁକ୍ରେନର ମନ୍ତ୍ରୀ ପରିଷଦ ଭବନ କ୍ଷତିଗ୍ରସ୍ତ ହୋଇଛି। ଛାତ ଏବଂ ଉପର ମହଲା କ୍ଷତିଗ୍ରସ୍ତ ହୋଇଛି। ଉଦ୍ଧାରକାରୀମାନେ ନିଆଁ ଲିଭାଇଛନ୍ତି।
ଦକ୍ଷିଣ-ପୂର୍ବର ଜାପୋରିଝିଆରେ ଏକ ରୁଷୀୟ ଡ୍ରୋନ୍ ଆକ୍ରମଣରେ ଅତି କମରେ 15 ଜଣ ଆହତ ହୋଇଛନ୍ତି, ଯାହାଙ୍କ ମଧ୍ୟରୁ ଚାରି ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଯୁଦ୍ଧ ବନ୍ଦ ପାଇଁ ଫ୍ରାନ୍ସ ଓ ବ୍ରିଟେନ ମିଳିତ ଭାବେ ଉଦ୍ୟମ କରୁଛନ୍ତି। ଏହି ଦୁଇ ଦେଶର ନେତୃତ୍ଵରେ ପାଟ୍ରୋଲିଂ ପାଇଁ ପ୍ରସ୍ତାବ ଆସିଥିଲା। ସେପଟେ ୟୁକ୍ରେନ କହିଛି, ରୁଷ ଆକ୍ରମଣକୁ ବନ୍ଦ କରିବା ପାଇଁ ପାଶ୍ଚାତ୍ୟ ସୈନ୍ୟଙ୍କ ସମର୍ଥନରେ ସୁରକ୍ଷା ଗ୍ୟାରେଣ୍ଟି ଦରକାର। ସେପଟେ ପୁଟିନ ଚେତାବନୀ ଦେଇଛନ୍ତି, ପାଶ୍ଚାତ୍ୟ ଦେଶ ହସ୍ତକ୍ଷେପ କଲେ କଥା ଆହୁରି ଖରାପ ହେବ। କୌଣସି ଦେଶକୁ ଆକ୍ରମଣ କରିବାକୁ ପଛାଇବ ନାହିଁ ରୁଷ। ୨୦୨୨ ଫେବ୍ରୁଆରିରୁ ଏହି ଯୁଦ୍ଧ ଆରମ୍ଭ ହୋଇଥିବା ବେଳେ ୟୁକ୍ରେନର ପୂର୍ବ ଭାଗରେ ଥିବା ପ୍ରାୟ ୨୦ ପ୍ରତିଶତ ଅଞ୍ଚଳ ଦଖଲ କଲାଣି ରୁଷ। ତଥାପି ଯୁଦ୍ଧ ହେଉନାହିଁ । …