ସଂଚାର ବ୍ୟୁରୋ: ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ପୁଣିଥରେ ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ପରମାଣୁ ଆକ୍ରମଣର ଧମକ ଦେଇଛନ୍ତି। ସେ ନିଜ ପରମାଣୁ ନୀତିରେ ପରିବର୍ତ୍ତନ କରିବାକୁ ଘୋଷଣା କରିଛନ୍ତି। ଏଥିରେ କେହି ଯଦି ରୁଷ୍ ଉପରେ ଡ୍ରୋନ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରେ ତେବେ ତା ଉପରେ ପରମାଣୁ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବାକୁ ଅନୁମତି ଦିଆଯିବ। ଅନ୍ୟପକ୍ଷରେ ୟୁରୋପୀୟ ସଂଘ ପୁତିନଙ୍କ ଯୋଜନାକୁ ବେପରୁଆ ଏବଂ ଦାୟିତ୍ବହୀନ କହି ଖାରଜ କରିଦେଇଛି। ରିପୋର୍ଟ ଅନୁଯାୟୀ ପୁତିନ ବୁଧବାର ସୁରକ୍ଷା ପରିଷଦର ଜରୁରୀ ବୈଠକ ଡାକିଥିଲେ। ସରକାର ପରମାଣୁ ଅସ୍ତ୍ରଶସ୍ତ୍ରର ବ୍ୟବହାର ନିୟମ ଏବଂ ସର୍ତ୍ତ ବଦଳାଇବାକୁ ଯାଉଥିବା କହିଥିଲେ। ଏହା ବର୍ତ୍ତମାନ ସମୟ ପାଇଁ ଆବଶ୍ୟକ। ଏଥିରେ ନୂଆ ନିୟମ ସାମିଲ କରାଯିବ। ଯଦି ରୁଷ୍ ଅଞ୍ଚଳରେ ବଡ଼ଧରଣର ଆକ୍ରମଣ ହୁଏ ଏବଂ ଦେଶର ସାର୍ବଭୌମତ୍ବ ଉପରେ ବିପଦ ଦେଖାଦିଏ ତେବେ ପରମାଣୁ ଅସ୍ତ୍ରଶସ୍ତ୍ର ବ୍ୟବହାରକୁ ଅନୁମତି ଦିଆଯିବ। ଯଦି ପରମାଣୁ କ୍ଷମତା ନ ଥିବା ଦେଶ ଏହି ଅସ୍ତ୍ରଶସ୍ତ୍ର ରଖିଥିବା ଦେଶର ସମର୍ଥନରେ ରୁଷ୍ ଉପରେ ଆକ୍ରମଣ କରେ ତେବେ ତାହାକୁ ଉଭୟ ଦେଶର ଆକ୍ରମଣ ଧରାଯିବ।