ସଂଚାର ବ୍ୟୁରୋ: କ୍ୟାନସର ଟିକା ବିକଶିତ କରିଛି ରୁଷ। ସ୍ପଟୁନିକ -V କୋଭିଡ ଭ୍ୟାକ୍ସିନ ବିକଶିତ ହୋଇଥିବା ରୁଷିଆର ଗାମାଲେୟା ନେସନାଲ ରିସର୍ଚ୍ଚ ସେଣ୍ଟରରେ କ୍ୟାନସର ଟିକା ବିକଶିତ ହୋଇଛି। ଏହାର ମାନବ ପରୀକ୍ଷଣ ହେବ। ୨୦୨୫ ଶେଷ ଆଡ଼କୁ ମାନବ ପରୀକ୍ଷଣ ପାଇଁ ରୁଷ ସରକାର ଘୋଷଣା କରିଛନ୍ତି। ପ୍ରାରମ୍ଭିକ ଭାବେ ଚର୍ମ କ୍ୟାନସର ରୋଗ ପାଇଁ ଏହି ଟିକା ପରୀକ୍ଷଣ ହେବ। ପରେ ଅନ୍ୟ କ୍ୟାନସର ପାଇଁ ପରୀକ୍ଷା କରାଯିବ। ଏହା mRNA ଟିକା। ଏହି ଟିକା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ କ୍ୟାନସର କୋଷକୁ ଚିହ୍ନଟ କରି ନଷ୍ଟ କରିଦେବ ।
ସଫଳ ହେଲେ ରୁଷ ନାଗରିକଙ୍କୁ ମାଗଣାରେ ଯୋଗାଇ ଦେବେ ସରକାର। ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷଣ ଆସନ୍ତା ସେପ୍ଟେମ୍ବର-ଅକ୍ଟୋବରରେ ମସ୍କୋରେ ଏକ ରିସର୍ଚ୍ଚ ସେଣ୍ଟରରେ ଆରମ୍ଭ ହେବ। ଏହି ଟିକା ପ୍ରସ୍ତୁତିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ବ୍ୟବହାର କରାଯାଇଛି । ବିଶ୍ୱରେ ଅନ୍ୟାନ୍ୟ ଦେଶ ମଧ୍ୟ ଏମଆରଏନଏ ଆଧାରିତ କ୍ୟାନସର ଟିକା ଉପରେ ଗବେଷଣା କରୁଛନ୍ତି । ଆମେରିକା ଓ UKର ବାୟୋ ଏନଟେକ ଏବଂ ମୋଡେର୍ଣ୍ଣା ଭଳି ସଂସ୍ଥା ଏ ଦିଗରେ କାର୍ଯ୍ୟ କରୁଛନ୍ତି ।

