ସଂଚାର ବ୍ୟୁରୋ: ପାଖେଇ ଆସୁଛି ଏକାମ୍ରଧିପତି ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା । ଏଥିପାଇଁ ଜୋର୍ ସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ରଥ ନିର୍ମାଣ କାର୍ଯ୍ୟରେ ଲାଗିପଡ଼ିଛନ୍ତି ମହାରଣା ସେବାୟତ, ଭୋଇ ସେବାୟତ ଓ ଖମାର ସେବାୟତ । ନିହଣ ମୁନରେ ରଥକୁ ସୁନ୍ଦର ରୂପ ଦେବାକୁ ଲାଗିପଡ଼ିଛନ୍ତି ମହାରଣା ସେବାୟତ । ନିର୍ମାଣ କାର୍ଯ୍ୟରେ ୧୫ ଜଣ ପାଳିଆ ମହାରଣା ସେବାୟତ ନିୟୋଜିତ ଥିବା ବେଳେ ୩୦ ଜଣ ବାହାର ମହାରଣାଙ୍କୁ ସହଯୋଗ କରୁଛନ୍ତି । ସମସ୍ତଙ୍କୁ ମିଶାଇ ରଥ ନିର୍ମାଣରେ ନିୟୋଜିତ ହୋଇଛନ୍ତି ମୋଟ ୮୦ ଜଣ ସେବାୟତ । ବୟସର ଅପରାହ୍ନରେ ଅଧିକାଂଶ ମହାରଣା ସେବାୟତ ନିଜକୁ ପ୍ରଭୁ ଲିଙ୍ଗରାଜଙ୍କ ଉଦ୍ଦେଶ୍ୟରେ ସମର୍ପିଦେଇଛନ୍ତି । ଦିନ ସମୟରେ ପ୍ରଚଣ୍ଡ ରୌଦ୍ରତାପ ହେତୁ ରାତିରେ ରଥଖଳାରେ ଭିଡ଼ ଜମୁଛି । କାମ ମଧ୍ୟ ଖୁବ୍ ଜୋରସୋରରେ ଚାଲିଛି । କାହିଁ କେଉଁ ବାପା ଅଜା ଅମଳରୁ ଏହି କାମ କରିଆସୁଛନ୍ତି ବୋଲି କହିଛନ୍ତି ମହାରଣା ସେବାୟତ । ଚୈତ୍ର ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିରେ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଏକାମ୍ର କ୍ଷେତ୍ରରେ ଗଡ଼ିବ । ଏଥିପାଇଁ ଦୋଳ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଯାଇଛି ରଥ ନିର୍ମାଣ କାର୍ଯ୍ୟ । ବର୍ତ୍ତମାନ ରଥର ମୁଖ୍ୟ ଚାରି ନାହକା ଉଠିବା ପରେ ଅବଶିଷ୍ଟ କାର୍ଯ୍ୟ ଚାଲିଛି । ପାର୍ଶ୍ଵ ଦେବାଦେବୀ ନିର୍ମାଣ ସହିତ ଅନ୍ୟାନ୍ୟ କାର୍ଯ୍ୟକୁ ଯଥାଶୀଘ୍ର ସରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ମହାରଣା ସେବାୟତ । ସେପଟେ ଅଶୋକାଷ୍ଟମୀ ପୂର୍ବଦିନ ଅର୍ଥାତ୍ ଆସନ୍ତା ଶୁକ୍ରବାର ସମ୍ପୂର୍ଣ ଭାବେ ରଥକୁ ପ୍ରସ୍ତୁତ କରି ମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯିବ ।