ଚଳିତ ଆଇପିଏଲ୍ର ୬୯ତମ ତମ ଲିଗ୍ ମୁକାବିଲାରେ ଆଜି ରାଜସ୍ଥାନ ଓ ମୁମ୍ବାଇ ପରସ୍ପରକୁ ଭେଟିବେ । ଏହି ମ୍ୟାଚ ଜିତିଲେ ରାଜସ୍ଥାନ ସିଧା ସଳଖ ପ୍ଲେ-ଅଫରେ ପ୍ରବେଶ କରିବ । ପରାଜିତ ହେଲେ ଦିଲ୍ଲୀ ଓ କୋଲକାତା ମଧ୍ୟରେ ହେବାକୁ ଥିବା ରାତ୍ରି ମ୍ୟାଚର ବିଜେତା ପାଇଁ ସୁଯୋଗ ବଢିଯିବ । ଉଭୟ ମ୍ୟାଚ ଦର୍ଶକଙ୍କ ପାଇଁ ଭରପୁର ମନୋରଞ୍ଜନ ଯୋଗାଇବ ।
ମୁମ୍ବାଇ ପ୍ଲେ-ଅଫ ଦୌଡ଼ରୁ ବାଦ ପଡ଼ି ସାରିଥିଲେ ହେଁ ପୂର୍ବ ପରାଜୟର ପ୍ରତିଶୋଧ ନେବା ପାଇଁ ସବୁ ପ୍ରୟାସ କରିବ । ଉଭୟ ଦଳ ମଧ୍ୟରେ ଗତ ମାସ ୭ ତାରିଖରେ ପ୍ରଥମ ମ୍ୟାଚ ଖେଳା ଯାଇଥିଲା । ରାଜସ୍ଥାନ ୨୭ ରନ୍ରେ ଉକ୍ତ ମ୍ୟାଚ ଜିତିଥିଲା । ପୂର୍ବ ରେକର୍ଡକୁ ଦେଖି ଆସନ୍ତା କାଲିର ମ୍ୟାଚର ପୂର୍ବାନୁମାନ କରିବା କଷ୍ଟକର । ଉଭୟ ଦଳ ପରସ୍ପରକୁ ୩୨ଥର ଭେଟିଛନ୍ତି । ଏଥିରୁ ମୁମ୍ବାଇ ୧୬ଟି ମ୍ୟାଚ ଜିତିଥିବାବେଳେ ୧୫ଟି ମ୍ୟାଚରେ ପରାଜିତ ହୋଇଛି । ଗୋଟିଏ ମ୍ୟାଚ୍ ବିନା ଫଳାଫଳରେ ଶେଷ ହୋଇଥିଲା।
ଆଜି ବୈଭବ ସୂର୍ଯ୍ୟବଂଶୀ ଓ ଯଶପ୍ରୀତ ବୁମରାଙ୍କ ମଧ୍ୟରେ ଏକ ଲଢେଇକୁ ଦର୍ଶକ ଉତ୍ସୁକତାର ସହ ଅପେକ୍ଷା କରିବେ । ବୈଭବ ଗତ ମାସ ୭ ତାରିଖରେ ଅନୁଷ୍ଠିତ ପ୍ରଥମ ମ୍ୟାଚରେ ବୁମରାଙ୍କୁ ନିର୍ମମ ପ୍ରହାର କରିଥିଲେ । ଚଳିତ ସିଜନରେ ବୈଭବ ସର୍ବାଧିକ ୫୩ଟି ଛକା ମାରି ସାରିଛନ୍ତି ।
ଚଳିତ ସିଜନରେ ମୁମ୍ବାଇ ୨୪ଜଣ ଖେଳାଳିଙ୍କୁ ଖେଳାଇ ସାରିଛି । ତଥାପି ଶ୍ରେଷ୍ଠ ଏକାଦଶ ପ୍ରସ୍ତୁତ କରିବାରେ ବିଫଳ ହୋଇଛି । ଆଜି ମଧ୍ୟ ଏକାଦଶରେ ପରିବର୍ତ୍ତନ ସମ୍ଭାବନା ରହିଛି । ଲେଗ ସ୍ପିନର ରଘୁ ଶର୍ମାଙ୍କ ସ୍ଥାନରେ ଜଣେ ପେସ୍ ବୋଲରଙ୍କୁ ଖେଳାଇବାକୁ ମୁମ୍ବାଇ ଯୋଜନା କରୁଛି ।
ରାଜସ୍ଥାନ ଦଳର ଦୁଇ ପ୍ରମୁଖ ଖେଳାଳି ରିୟାନ ପରାଗ ଓ ରବିନ୍ଦ୍ର ଜାଡ଼େଜା ଆହତ ଅଛନ୍ତି । ଆଜି ଉଭୟ ଫିଟ୍ ହୋଇ ଏକାଦଶକୁ ଫେରିବେ ବୋଲି କାମଚଳା ଅଧିନାୟକ ଯଶସ୍ୱୀ ଜୈସ୍ୱାଲ ପ୍ରକାଶ କରିଛନ୍ତି ।
ୱାଙ୍ଖଡ଼େ ଷ୍ଟାଡ଼ିୟମ୍ର ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିଥିଲେ ହେଁ ପ୍ରାରମ୍ଭରୁ ପେସ୍ ବୋଲରଙ୍କୁ ସହାୟତା କରିବା ନିଶ୍ଚିତ । ଆଜି ଅପରାହ୍ଣରେ ମ୍ୟାଚ ଖେଳାଯାଉଥିବାରୁ ଟସ ସେଭଳି ଗୁରୁତ୍ୱ ରଖିବ ନାହିଁ । ତଥାପି ଟସ ବିଜୟୀ ଦଳ ବ୍ୟାଟିଂ ନିଷ୍ପତ୍ତି ନେବାର ଯଥେଷ୍ଟ ସମ୍ଭାବନା ରହିଛି ।
ସମ୍ଭାବ୍ୟ ଦଳ
ମୁମ୍ବାଇ: ରାନ ରିକେଲଟନ, ରୋହିତ ଶର୍ମା, ନମନ ଧିର, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ୱିଲ ଜ୍ୟାକ୍ସ, କର୍ବିନ ବସ୍କ, ଦୀପକ ଚହର, ଯଶପ୍ରୀତ ବୁମରା, ଆଲ୍ଲା ଗଜନଫର, ରଘୁ ଶର୍ମା/ ସର୍ଦୁଲ ଠାକୁର ।
ରାଜସ୍ଥାନ: ଯଶସ୍ୱୀ ଜୈସ୍ୱାଲ, ବୈଭବ ସୂର୍ଯ୍ୟବଂଶୀ, ଧ୍ରୁବ ଜୁରେଲ, ରିୟାନ ପରାଗ, ଡୋନୋଭାନ ଫେରେରା, ରବିନ୍ଦ୍ର ଜାଡ଼େଜା/ଶୁଭମ ଦୁବେ, ଡାସୁନ ଶଣକା, ଜୋଫ୍ରା ଆର୍ଚର, ୟଶ ରାଜ ପୁଞ୍ଜା, ବ୍ରିଜେଶ ଶର୍ମା, ସନ୍ଦିପ ଶର୍ମା, ନାନ୍ଦ୍ରେ ବର୍ଗର ।

