ଏବେ ସମୁଦ୍ର ସଫା କରିବ ମାଛ । ଆମେରିକା ନେଇଆସିଛି ରୋବୋ ଫିସ୍ । ପ୍ଲାଷ୍ଟିକ ଖାଇ ତିଆରି କରିବ ଏନର୍ଜି । ବଞ୍ଚାଇବ କୋଟି କୋଟି ଟଙ୍କା । ହଁ ଆଜ୍ଞା, ଏବେ ସମୁଦ୍ରକୁ ସଫା କରିବ ରୋବୋ ଫିସ୍ । ପ୍ଲାଷ୍ଟିକ୍କୁ ଖାଇ ତିଆରି କରିବ ଏନର୍ଜି । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ । ଦିନକୁ ଦିନ ବଢ଼ିବାରେ ଲାଗିଛି ପ୍ଲାଷ୍ଟିକ ପ୍ରଦୂଷଣ । ଆଜିକାଲି ଜୀବଜଗତ ଉପରେ ଭାରି ପଡ଼ୁଛି ମଣିଷ । ଜନସଂଖ୍ୟା ଯେଉଁ ମାତ୍ରରେ ବଢ଼ିବାରେ ଲାଗିଛି ସେତେ ମାତ୍ରାରେ ପ୍ରଦୂଷିତ ହେବାରେ ଲାଗିଛି ପରିବେଶ । ଏମିତିକି ଏଥିରୁ ନଦୀ ସମୁଦ୍ର ବି ବର୍ତ୍ତିପାରିନି ।
ପ୍ରତିଦିନ କୁଢ଼ କୁଢ଼ ପ୍ଲାଷ୍ଟିକ୍ ନଦୀ ତଥା ସମୁଦ୍ରରେ ଫିଙ୍ଗିଦିଆଯାଉଛି । ମଣିଷ ପାଇଁ ସମୁଦ୍ର ବି ଦିନକୁ ଦିନ ପ୍ରଦୂଷିତ ହେବାରେ ଲାଗିଛି । ଯାହାଦ୍ୱାରା ଏବେ ବିପଦରେ ପଡିଯାଇଛନ୍ତି ସାମୁଦ୍ରିକ ଜୀବ । ଅନ୍ୟପଟେ ଏଭଳି ପରିସ୍ଥିତିକୁ ନେଇ ଏବେ ଚିନ୍ତାରେ ପରିବେଶବିତ୍ । ଏହାରି ଭିତରେ ଆମେରିକା ସମୁଦ୍ରକୁ ସଫା ରଖିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛି । ସମୁଦ୍ରରୁ ପ୍ଲାଷ୍ଟିକ୍ ଏବଂ ଅନ୍ୟାନ୍ୟ ଅଳିଆ ଆବର୍ଜନା ସଫା କରିବା ପାଇଁ ଆମେରିକା ପ୍ରସ୍ତୁତ କରିଛି ଏକ ନୂଆ ରୋବୋ ଫିସ୍ । ଏହି ମାଛର ଲମ୍ବ ପ୍ରାୟ ୧.୩ ସେଣ୍ଟିମିଟର । ଅନ୍ୟ ମାଛ ପରି ଏହା ପାଣିରେ ପହଁରିପାରିବ ମଧ୍ୟ ।
ଆଉ ଏହି ମାଛର କାମ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଆମେରିକା ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ରୋବୋ ଫିସ୍ ସମୁଦ୍ରରେ ଥିବା ମାଇକ୍ରୋ ପ୍ଲାଷ୍ଟିକ ସବୁକୁ ଖାଇ ହଜମ କରିବ । ଆଉ ସେଥିରୁ ଏନର୍ଜି ତିଆରି କରି ନିଜକୁ ବଞ୍ଚାଇ ରଖିବ । ଆମେରିକାର ବୈଜ୍ଞାନିକମାନେ ଅହି ମାଛକୁ ଏପରି ଡିଜାଇନ୍ କରିଛନ୍ତି ଯେ ଏହା ପ୍ଲାଷ୍ଟିକୁ ଖାଇ ସେଥିରୁ ଏନର୍ଜି ତିଆରି କରିପାରିବ । ଆଉ ସେହି ଏନର୍ଜିରୁ ସମୁଦ୍ର ଭିତରେ ଜୀବନଧାରଣ କରିବ । ଗୋଟିଏ ରୋବ ଫିସ୍ ଦିନକୁ ମାତ୍ର ୨ କେଜିର ମାଇକ୍ରୋପ୍ଲାଷ୍ଟିକ୍ ଖାଇ ତାକୁ ନିଜ ଭିତରେ ଷ୍ଟୋର କରି ରଖିବ ।
ମାଛ ଭିତରେ ଲାଗିଥିବା ଟେକନିକ୍ ସେହି ମାଇକ୍ରୋ ପ୍ଲାଷ୍ଟିକକୁ ଏନର୍ଜିରେ କନଭର୍ଟ କରିବ । ଆଉ ସମୁଦ୍ରରେ ଏହି ରୋବ ଫିସ୍ ଯେତେ ପ୍ଲାଷ୍ଟିକ୍ ଖାଇବ ସେତେ ଅଧିକ ପହଁରି ପାରିବ । ଆଉ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଏହି ରୋବୋ ଫିସ୍ ସମୁଦ୍ର କିମ୍ବା ସାମୁଦ୍ରିକ ଜୀବଙ୍କର କୌଣସି କ୍ଷତି କରିବ ନାହିଁ ।

